ୱାଶିଂଟନ: ମିଳିତ ଜାତିସଙ୍ଘ ମହାସଭାରେ ଖୋଲାଖୋଲି ଭାବେ ଭାରତକୁ ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କାଶ୍ମୀରରେ ଯାହା ହେଉଛି, ତାହା ମୁସଲମାନମାନଙ୍କୁ ଅସ୍ତ୍ର ଉଠାଇବା ପାଇଁ ବାଧ୍ୟ କରୁଛି ବୋଲି ଇମ୍ରାନ କହିଛନ୍ତି ।
ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଭାଷଣ ଦେଇ ସେ କହିଛନ୍ତି, ଭାରତର ହିନ୍ଦୁ ଜାତୀୟତାବାଦୀ ସରକାର କଶ୍ମୀରର ୮ ନିୟୁତ ମୁସଲିମଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ପ୍ରାୟ ୯ ଲକ୍ଷ ସୁରକ୍ଷାବଳ ମୁତୟନ କରି ସେଠାକାର ସାଧାରଣ ଲୋକଙ୍କୁ ଦମନ କରାଯାଉଛି । କର୍ଫ୍ୟୁ ଉଠିଲେ ସେଠାରେ ପୁଣି ଥରେ ପୁଲଓ୍ଵାମା ପରି ଘଟଣା ହେବ ବୋଲି ଇମ୍ରାନ ଚେତାବନୀ ଦେଇଛନ୍ତି ।
ଏହା ସହିତ ଇମ୍ରାନ ପରମାଣୁ ଯୁଦ୍ଧର ମଧ୍ୟ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଆମେ ପରମାଣୁ ଯୁଦ୍ଧ ଆଡେ ବଢୁଛୁ, ଏଥିପାଇଁ ମିଳିତ ଜାତିସଙ୍ଘ ଦାୟୀ ହେବ । ପରମାଣୁ ଯୁଦ୍ଧ ନ ହେଉ ବୋଲି 1945 ରେ ମିଳିତ ସାତିସଙ୍ଘର ଗଠନ ହୋଇଥିଲା । ଯଦି ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଯୁଦ୍ଧ ହୁଏ, ତାହେଲେ କିଛି ବି ହୋଇପାରେ । ତେଣୁ ଏହି ଯୁଦ୍ଧକୁ ଆପଣମାନଙ୍କୁ ରୋକିବାକୁ ପଡିବ ବୋଲି ଇମ୍ରାନ କହିଛନ୍ତି ।
ଏହା ବ୍ୟତିତ ଇସ୍ଲାମିକ ଆତଙ୍କବାଦ କଥା କହି ସମସ୍ତେ ମୁସଲିମମାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି । ସେ କହିଛନ୍ତି, ଆତଙ୍କବାଦର କୌଣସି ଧର୍ମ ନଥାଏ । କିନ୍ତୁ ମୁସଲମାନ ଯେଉଁ ରାଷ୍ଟ୍ରକୁ ଗଲେ ମଧ୍ୟ ସେମାନଙ୍କୁ ଆତଙ୍କବାଦୀ ଭଳି ସନ୍ଦେହ କରାଯାଉଛି । 9/11 ଆକ୍ରମଣରେ ପାକିସ୍ତାନ ସାମିଲ ନଥିଲା । ତାଲିବାନ ଏବଂ ଆଲକାଏଦା ମଧ୍ୟ ପାକିସ୍ତାନରେ ନାହିଁ, ବରଂ ଆଫଗାନିସ୍ତାନରେ ଅଛି । ସବୁଠାରୁ ଅଧିକ ଆକ୍ରମଣ ତାମିଲ ଟାଇଗର୍ସ କରିଥିଲେ । କିନ୍ତୁ କେହି ମଧ୍ୟ ହିନ୍ଦୁଙ୍କୁ ଦୋଷ ଦେଉନାହାନ୍ତି । ଇସ୍ଲାମୋଫୋବିଆ କାରଣରୁ ମୁସଲମାନେ ଦୁଃଖ ପାଉଛନ୍ତି । ପଶ୍ଚିମୀ ଦେଶଗୁଡିକ ଏହି ଇସ୍ଲାମୋଫୋବିଆକୁ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଇମ୍ରାନ କହିଛନ୍ତି ।