ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବଢିଲା ଭାରତୀୟ ବାୟୁସେନାର ଶକ୍ତି । ଶୁକ୍ରବାର ସମସ୍ତ AH-64E ଆପାଚେ ଏବଂ CH-47F(I) ଚିନୁକ୍ ସାମରିକ ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ବିଶ୍ୱର ବୃହତ୍ତମ ଏରୋସ୍ପେସ୍ କମ୍ପାନୀ ତଥା ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦକ ବୋଇଙ୍ଗ ଭାରତୀୟ ବାୟୁସେନାକୁ ଏହି ହେଲିକପ୍ଟର ପଠାଇଥିବା ସୂଚନା ଦେଇଛି ।
ଆମେରିକାର ବୋଇଂ କମ୍ପାନି ଭାରତୀୟ ବାୟୁସେନାକୁ ଅବଶିଷ୍ଟ ୫ଟି AH-64E ଆପାଚେ ଆଟାକ ହେଲିକାପ୍ଟର ପ୍ରଦାନ କରିଛି । ଭାରତ ମୋଟ ୨୨ ଟି ଆପାଚେ ପାଇଁ ଅର୍ଡର ଦେଇଥିବାବେଳେ ପୂର୍ବରୁ ହିଁ ୧୭ଟି ଭାରତରେ ପହଞ୍ଚିସାରିଛି । ଏହା ବ୍ୟତୀତ 5ଟି CH-47F(I)ଚିନୁକ୍ ହେଭି ଲିଫ୍ଟ ହେଲିକପ୍ଟରର ପ୍ରଦାନ କରିଛି । ଭାରତ ମୋଟ 15ଟି ଚିନୁକ୍ ପାଇଁ ଅର୍ଡର ଦେଇଥିବାବେଳେ ପୂର୍ବରୁ ହିଁ 10ଟି ଭାରତରେ ପହଞ୍ଚିସାରିଥିଲା ।
ତେବେ ଏହି ହେଲିକପ୍ଟର ମାର୍ଚ୍ଚରେ ବାୟୁସେନା ନିକଟରେ ପହଞ୍ଚିବାର ଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା। ଗତ ମାର୍ଚ୍ଚ ମାସରେ ସେନାକୁ କେବଳ ପାଞ୍ଚଟି ଚିନୁକ୍ ହେଭି ଲିଫ୍ଟ ହେଲିକପ୍ଟର ମିଳିଥିଲା ।
ତେବେ ବୋଇଙ୍ଗ ଡିଫେନ୍ସ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ଅହୁଜା ଏନେଇ କହିଛନ୍ତି, ସାମରିକ ହେଲିକପ୍ଟରର ଏହି ବିତରଣ ସହିତ ଆମେ ଏହି ସହଭାଗୀତା ଜାରି ରଖିଛୁ । ସଠିକ୍ ମୂଲ୍ୟ ଏବଂ ସାମର୍ଥ୍ୟ ଯୁକ୍ତ ହେଲିକପ୍ଟର ପ୍ରଦାନ କରିବା ପାଇଁ ଭାରତର ପ୍ରତିରକ୍ଷା ବାହିନୀ ସହ କାର୍ଯ୍ୟ କରିବାକୁ ଆମେ ପ୍ରତିବଦ୍ଧ ।
ଆପାଚେ ଉପଲବ୍ଧ କରିଥିବା ଭାରତ 17 ଟି ଦେଶ ମଧ୍ୟରୁ ଅନ୍ୟତମ । ଏହାର ଉନ୍ନତ ପ୍ରକାର ହେଉଛି AH-64E ଆପାଚେ ଯାହା ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ରହିଛି | AH-64E ଆପାଚେ ଅତ୍ୟାଧୁନିକ ଯୋଗାଯୋଗ, ନାଭିଗେସନ୍, ସେନ୍ସର ଏବଂ ଅସ୍ତ୍ର ପ୍ରଣାଳୀ ସହ ଏକ ଖୋଲା ସିଷ୍ଟମ ସ୍ଥାପତ୍ୟ ହୋଇ ଡିଜାଇନ୍ ହୋଇଛି । ଏଥିରେ ଏକ ଉନ୍ନତ ଆଧୁନିକୀକରଣ ଲକ୍ଷ୍ୟ ଅଧିଗ୍ରହଣ ଡିଜାଇନ ସିଷ୍ଟମ ଅଛି । ଯାହା ଦିନ, ରାତି ଏବଂ ଯେକୌଣସି ପାଣିପାଗରେ ଲକ୍ଷ୍ୟ ଭେଦ କରିପାରିବ ।
ସେପ୍ଟେମ୍ବର 2015 ରେ 22 ଟି ବୋଇଙ୍ଗ AH-64E ଆପାଚେ ଆକ୍ରମକ ହେଲିକପ୍ଟର ଏବଂ 15 ଟି ଚିନୁକ୍ ହେଭି ଲିଫ୍ଟ ହେଲିକପ୍ଟର ଆଣିବା ପାଇଁ 3 ବିଲିୟନ ଡଲାର ମୂଲ୍ୟର ଚୁକ୍ତିନାମା ହୋଇଥିଲା ।