ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ନିୟୋଜିତ ପୁଣି ଜଣେ ବାୟୁସେନା ଅଧିକାରୀଙ୍କ ଆତ୍ମହତ୍ୟା । ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କଲେ ଯବାନ । ଯବାନ ଜଣକ ଉତ୍ତରପ୍ରଦେଶର ଇନ୍ଦ୍ରପାଲ ସିଂ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।
ଇନ୍ଦ୍ରପାଲଙ୍କୁ ଗୁଳି ଲାଗିବା ତତକ୍ଷଣାତ୍ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଯବାନଙ୍କ ପୋଷ୍ଟମର୍ଟମ ଓ କୋଭିଡ ଟେଷ୍ଟ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ସେପଟେ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।
ଚଳିତ ମାସରେ ଜମ୍ମୁ ଅଞ୍ଚଳରେ ନିୟୋଜିତ ଥିବା ଭାରତୀୟ ବାୟୁସେନା କର୍ମଚାରୀଙ୍କ ଏହା ହେଉଛି ଦ୍ବିତୀୟ ଆତ୍ମହତ୍ୟା ମାମଲା । 8 ଅଗଷ୍ଟରେ ଭାରତୀୟ ବାୟୁସେନାର ଜଣେ ଯବାନ ଉଦ୍ଦମପୁର ଜିଲ୍ଲାରେ ନିଜକୁ ଗୁଳି କରିଥିଲେ । ଏହା ପୂର୍ବରୁ ନିୟନ୍ତ୍ରଣ ରେଖା(ଏଲଓସି)ରେ ନିୟୋଜିତ ଥିବା ଉତ୍ତରାଖଣ୍ଡର ଜଣେ ଯବାନ ଆତ୍ମହତ୍ୟା କରିଥିଲେ ।