ନୂଆଦିଲ୍ଲୀ: ପାକିସ୍ତାନରେ ପଶି ତା'ର ଯୁଦ୍ଧ ବିମାନକୁ ଧ୍ବଂସ କରିଥିଲେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ତାଙ୍କ ପରାକ୍ରମକୁ ସଲାମ କରିଛନ୍ତି ସମଗ୍ର ଭାରତବାସୀ । ତେବେ ସେ ବିରତ୍ବର ସହିତ ଦେଶକୁ ଫେରିବା ପରେ ବିଭିନ୍ନ ଶାରିରିକ ଏକ ମାନସିକ ପରୀକ୍ଷଣର ସମ୍ମୁଖୀନ ହୋଇଛନ୍ତି । ଏହାରି ଭିତରେ ଅଭିନନ୍ଦନଙ୍କର ଶେଷ ହୋଇଛି ଡିବ୍ରିଫିଙ୍ଗ । ଏହାସହ ତାଙ୍କୁ ମିଳିଛି ୩ ସପ୍ତାହର ଛୁଟି ।
ଭାରତୀୟ ବାୟୁସେନା ତାଙ୍କ ଡିବ୍ରିଫିଙ୍ଗ ସମ୍ପୂର୍ଣ୍ଣ କରିଛି । ଏହି ସମୟରେ ପାକିସ୍ତାନରେ ବିତାଇଥିବା ସମୟ ସମ୍ପର୍କରେ ନିଜ ଅନୁଭବ ବିଷୟରେ କହିଛନ୍ତି ସେ । ପାକିସ୍ତାନରେ ତାଙ୍କୁ ବହୁ ମାନସିକ ଯନ୍ତ୍ରଣା ଦିଆଯାଇଥିଲା ।
ପାକିସ୍ତାନରୁ ଆସିବା ପରେ ଅଭିନନ୍ଦନଙ୍କୁ ଦିଲ୍ଲୀ ରିସର୍ଚ୍ଚ ଓ ରେଫରଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଛୁଟି ମିଳିବା ପରେ ନିଜ ପରିବାର ସହ ୩ ସପ୍ତାହ ସମୟ ବିତାଇବେ । ସେନା ହସ୍ପିଟାଲରେ ଚିକିତ୍ସା ବେଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ସମେତ ବହୁ ବଡ ବଡ ନେତା ଓ ଅଧିକାରୀମାନେ ଅଭିନନ୍ଦନଙ୍କ ସହ ସାକ୍ଷାତ କରିବା ପାଇଁ ଯାଇଥିଲେ ।