ଜୟପୁର: ରାଜସ୍ଥାନର ଯୁବନେତା ସଚିନ ପାଇଲଟଙ୍କ ବଡ ଘୋଷଣା । ବିଜେପିରେ ଯୋଗଦେବେନି ବୋଲି ସଚିନଙ୍କ ସ୍ପଷ୍ଟୋକ୍ତି । ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ସେ ବିଜେପିରେ ଯୋଗଦେଉନଥିବାର କହିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ।
ରାଜସ୍ଥାନରେ ଚାଲିଥିବା କ୍ଷମତା ଲଢେଇ ଭିତରେ ମଙ୍ଗଳବାର ପ୍ରଥମେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରିଥିଲା କଂଗ୍ରେସ । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଥିଲା । ସେହିପରି ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ନୂଆ ପିସିସି ସଭାପତି ଦାୟିତ୍ବ ଦେଇଥିଲା ଦଳ ।
ବିଧାୟକ ଦଳ ବୈଠକରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା କଂଗ୍ରେସ । ସେପଟେ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିବା ପରେ ସତ୍ୟକୁ ବିଚଳିତ କରାଯାଇପାରେ ପରାଜିତ ନୁହେଁ ବୋଲି ଟ୍ବିଟ୍ କରି ଜଣାଇଥିଲେ ସଚିନ । ତେବେ ଏହା ପରେ ସଚିନ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
ସେହିପରି ସଚିନଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ କିଛି ଜିଲ୍ଲା ସଭାପତି ମଧ୍ୟ ନିଜର ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ତେବେ ଅଶୋକ ଗେହଲଟ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ଏହି ସମୟରେ ତାଙ୍କୁ ବୁଝାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳୁଛି ।
ସେପଟେ 3 ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ବାସଭବନରେ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ନେଇଥିଲେ । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଥିଲେ ଗେହଲଟ । ତେବେ ଏଥିରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି ।
ସୂଚନାଥାଉକି, ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।
ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।
ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ