ନୂଆଦିଲ୍ଲୀ: ସମାଲୋଚନା ଜୀବନର ଏକ ଅଂଶବିଶେଷ । ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କରିଲେ ଏହା ହେବା ସ୍ବାଭାବିକ । ଏହାକୁ ଗ୍ରହଣ କରିବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ସମାଲୋଚନା ରହିବା ଆବଶ୍ୟକ । ପ୍ରାୟ ସମସ୍ତ ଅର୍ଥମନ୍ତ୍ରୀ ଏହାର ଶିକାର ହୋଇଥାନ୍ତି । ଏହା ତାଙ୍କ କର୍ତ୍ତବ୍ୟର ଏକ ଅଂଶ । ଏହାକୁ ଅଣଦେଖା କରିବା ଅସମ୍ଭବ । ତେଣୁ ଜଣେ ଅର୍ଥମନ୍ତ୍ରୀ ଭାବେ ଏହା ମୁଁ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି ।
ଏହାସହ ନିର୍ମଳା କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ କଷ୍ଟକର ରହିଛି । ଏପରି ସମୟରେ ଚାପ ରହିବା ନୂଆ କଥା ନୁହେଁ । ସମସ୍ତେ ଏହି ସମୟରେ ଚାପଗ୍ରସ୍ତ ଅଛନ୍ତି । କାର୍ଯ୍ୟର ଅଧିକ ଚାପ ରହିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ନେଇ ସମସ୍ତେ ବ୍ୟସ୍ତ ହେବା ସ୍ବାଭାବିକ । ସବୁକିଛି ବୁଝିବାକୁ ସମୟ ଲାଗିବ । ତେଣୁ ଏହାକୁ ନେଇ ବିବ୍ରତ ନୁହେଁ । ବରଂ ସମାଲୋଚନା ଗ୍ରହଣ କରି ଆଗକୁ ବଢିବା ମୋ କର୍ତ୍ତବ୍ୟ ବୋଲି ସୀତାରମଣ କହିଛନ୍ତି ।
ସେ କହିଛନ୍ତି ଯେ କିଛି ଲୋକ ପ୍ୟାକେଜ ଘୋଷଣାକୁ ଟିଭି ସିରିଏଲ ସହ ତୁଳନା କରିଥିଲେ । ସବୁଦିନ ଅପରାହ୍ନ 4ଟାବେଳେ ଆସି ଉଦବୋଧନ ଦେବାକୁ ସମାଲୋଚନା କରିଥିଲେ । କିନ୍ତୁ ଏହାକୁ ଗ୍ରହଣ ନକରି ସେ ନିଜ କାମ କରିଚାଲିଥିଲେ । କାରଣ ଏହା ତାଙ୍କ କର୍ତ୍ତବ୍ୟ ହୋଲି ସୀତାରମଣ କହିଛନ୍ତି ।
ପ୍ରକାଶ ଥାଉ କି ନିକଟରେ ଭାରତ ସରକାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ବିଭିନ୍ନ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସହାୟତା ଦିଆଯାଇଛି । ତେବେ ଏହି ପ୍ୟାକେଜ ଓ ପ୍ରବାସୀ ଶ୍ରମିକଙ୍କୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିଶେଷ କରି ଅର୍ଥମନ୍ତ୍ରୀଙ୍କୁ ଅଧିକ ସମାଲୋଚନାର ଶିକାର ହେବାକୁ ପଡିଛି ।
ସୌଜନ୍ୟ@ANI