ଲକ୍ଷ୍ନୌ: ସରିଗଲା ମାନବିକତା, ଟପିଲା ସୀମା । ସନ୍ଦେହ ପାଇଁ ସ୍ତ୍ରୀ ଉପରେ ଏସିଡ ଫିଙ୍ଗିଲା ସ୍ବାମୀ। ଏଭଳି ଆମାନବୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ। ଅନୈତିକ ସମ୍ପର୍କ ରଖିବା ସନ୍ଦେହରେ ସ୍ତ୍ରୀ ଉପରେ ଏସିଡ ଫିଙ୍ଗି ଫେରାର ହୋଇଯାଇଛି ସ୍ବାମୀ। ଏଥିରେ ପତ୍ନୀଙ୍କ ବାମ ପାର୍ଶ୍ବ ଶରୀର ସମ୍ପୂର୍ଣ୍ଣ ଜଳିଯାଇଛି।
ଗୋରଖପୁର ଜିଲ୍ଲାର ଗୁଲହରିୟା ଅଞ୍ଚଳର ଡୁମରୀ ଗାଁର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଅନୈତିକ ସମ୍ପର୍କ ରଖିବା ନେଇ ସନ୍ଦେହ କରୁଥିଲେ । ରବିବାର ସ୍ତ୍ରୀ ଶୋଇଥିବା ଅବସ୍ଥାରେ ହଠାତ ସ୍ବାମୀ ଆସି, ସ୍ତ୍ରୀ ଉପରେ ଏସିଡ ଫିଙ୍ଗିଥିଲେ। ଏହା ଯୋଗୁଁ ପାଖରେ ଶୋଇଥିବା 10 ବର୍ଷର ଝିଅ ଉପରେ ମଧ୍ୟ ସାମାନ୍ୟ ଏସିର ଛିଟା ପଡିଛି।
ପୀଡିତାଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଖବର ପାଇଁ ତୁରନ୍ତ ତାଙ୍କୁ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଏଭଳି କାଣ୍ଡ ଭିଆଇଥିବା ସ୍ବାମୀ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଏ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଏହାର ତଦନ୍ତ କରୁଛି।