ପିଲାବେଳୁ ଆମେ ସମସ୍ତେ ଦେଖିଛେ ଓ ଶୁଣିଛେ ଯେ ଫୋନ ଉଠାଇବା ମାତ୍ରେ ଲୋକେ ହାଲୋ ବୋଲି କୁହନ୍ତି । ଫୋନ ଉଠାଇ ହାଲୋ କହିବା ପରେ ହିଁ ଆରମ୍ଭ ହୁଏ କଥା । ଲ୍ୟାଣ୍ଡ ଫୋନ ଯୁଗରୁ ସ୍ମାର୍ଟ ଫୋନ ଯୁଗରେ ପହଁଞ୍ଚିଛି ମଣିଷ କିନ୍ତୁ ବର୍ତ୍ତମାନ ମଅଧୟ ଚାଲିଛି ଏହି ‘ହାଲୋ’ କହିବାର ପରମ୍ପରା । ତେବେ ଆପଣ ଜାଣନ୍ତି କି ଫୋନ ଉଠାଇଲେ କାହିଁକି ହେଲେ ବୋଲି କୁହାଯାଏ ? ଏମିତିରେ ଅନେକ ସମୟରେ ଆପଣ ଏହି ପ୍ରଶ୍ନକୁ ନେଇ ଅନେକ ମନଗଢ଼ା କାହାଣୀ ଶୁଣିଥିବେ । ତେବେ ଆସନ୍ତୁ ଜାଣିବା ଏହି ହାଲୋର ଉତ୍ପତି ବିଷୟରେ ।
ଆଲେକଜାଣ୍ଡାର ଗ୍ରାହମ ବେଲ ଟେଲିଫୋନର ଉଦ୍ଭାବନ କରିଥିଲେ । 1876 ମସିହା ମାର୍ଚ୍ଚ 10 ତାରିଖରେ ତାଙ୍କୁ ଚେଲିଫୋନ ଉଦ୍ଭାବନର ପେଟେଣ୍ଟ ମିଳିଥିଲା । ତେବେ ଟେଲିଫୋନ ଆବିସ୍କାର କରିବା ସଙ୍ଗେ ସଙ୍ଗେ ବେଲ ନିଜର ସାଥୀ ୱାଟସନଙ୍କୁ ସନ୍ଦେସ ଦେଲେ ଯେ, ‘ୱାଟସନ ଆପଣ ଏଠାକୁ ଆସନ୍ତୁ ମତେ ଆପଣଙ୍କର ଆବଶ୍ୟକତା ରହିଛି ।’ ସୂଚନା ଯୋଗ୍ୟ ଯେ ଗ୍ରାହମ ବେଲ ଯେତେବେଳେ ଫୋନ କଲେ ସେ ‘ହାଲୋ’ କହି ନଥିଲେ । ସେ ପ୍ରଥମେ ‘ଏହୋଏ (Ahoy)’ କହିଥିଲେ ।
ଟେଲିଫୋନ ଆବିସ୍କାର ପରେ ଲୋକେ ଯେତେବେଳେ ଏହାକୁ ବ୍ୟବହାର କରିବା ଆରମ୍ଭ କଲେ, ସେତେବେଳେ ସେମାନେ ଫୋନ ଉଠାଇବା ମାତ୍ରେ ପଚାରୁଥିଲେ ‘ଆର ୟୁ ଦେୟାର (Are You There)’ । ଏମିତି କରିବାର ପଛରେ କାରଣ ଥିଲା ଯେ ସେମାନେ ଜାଣିବାକୁ ଚାହୁଁଥିଲେ ଯେ ଅନ୍ୟ ପଟେ ତାଙ୍କ କଥା ଶୁଣା ଯାଉଛି ନା ନାହିଁ ।
ଥରେ ଥୋମାସ ଏଡିଶନ ‘ଏହୋଏ’ କୁ ଭୁଲ ଶୁଣି ନେଇଥିଲେ ଓ 1877ରେ ସେ ‘ହାଲୋ’ କହିବା ପାଇଁ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବକୁ ପାସ କରାଇବା ପାଇଁ ଥୋମାସ ଏଡିସନ ପିଟସବର୍ଗର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଆଣ୍ଡ ପ୍ରିଣ୍ଟିଙ୍ଗ ଟେଲିଗ୍ରାଫ କମ୍ପାନୀର ଅଧ୍ୟକ୍ଷ ଟିବିଏ ସ୍ମିଥଙ୍କୁ ଚିଠି ଲେଖି କହିଥିଲେ ଯେ ଟେଲିଫୋନରେ ପ୍ରଥମ ଶବ୍ଦ ‘ହାଲୋ’ ହେବା ଦରକାର । ସେ ଯେତେବେଳେ ପ୍ରଥମ ଥର ଫୋନ କଲେ ପ୍ରଥମେ ‘ହାଲୋ’ ବୋଲି କହିଥିଲେ ।
ତେଣୁ ହାଲୋ ଶବ୍ଦ ଟି ଥୋମାସ ଏଡିସନଙ୍କର ଟେଲିଫୋନକୁ ଦାନ । ଯାହା କାରଣରୁ ଆଜି ମଧ୍ୟ ଲୋକ ଫୋନ ଉଠାଇଲେ ହାଲୋ ବୋଲି କୁହନ୍ତି । ଅକ୍ସଫୋର୍ଡ ଇଂରାଜୀ ଶବ୍ଦକୋଷ ଅନୁସାରେ, ହାଲୋ ଶବ୍ଦଟି ପୁରୁଣା ଜର୍ମାନ ଶବ୍ଦ ହାଲାରୁ ତିଆରି ହୋଇଛି । ଏହି ଶବ୍ଦ ପୁରୁଣା ଫରାସି କିମ୍ବା ଜର୍ମାନ ଶବ୍ଦ ‘ହୋଲା’ରୁ ଆଗତ । ‘ହୋଲା’ର ମାନେ ହେଉଛି ‘କେମିତି ଅଛ’ । କିନ୍ତୁ ସମୟ କ୍ରମେ ଏହି ଶବ୍ଦ ବ୍ୟବହାରର ଅର୍ଥ ପରିବର୍ତ୍ତିତ ହୋଇ ଯାଇଛି ।