ଗୌହାଟି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା 25 ତାରିଖରେ ଆସାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ ଶାହଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଦୁଇ ଦିନିଆ ଗସ୍ତରେ ଶାହ 25 ଡିସେମ୍ବରରେ ଆସାମରେ ପହଞ୍ଚିବେ ବୋଲି ଜଣାପଡିଛି । ତାଙ୍କ ଗସ୍ତ ସମୟରେ ଶାହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ତାଙ୍କ କ୍ୟାବିନେଟ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବେ । ଏହି ଅବସରରେ ଅମିତ ଶାହ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ର ନେତାଙ୍କୁ ଭେଟିବା ସମ୍ଭାବନା ରହିଛି । ବିପିଏଫ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ)ର ସଦସ୍ୟ ରହିଛି ।
ସୂଚନାଥାଉକି ସମ୍ପ୍ରତି ବୋଡୋଲାଣ୍ଡ ଟେରିଟେରାଲ୍ କାଉନସିଲ୍ (ବିଟିସି) ନିର୍ବାଚନ ପରେ ବିଜେପି ଏବଂ ବିପିଏଫ୍ ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ରାଜ୍ୟ ବିଜେପି ନେତୃତ୍ୱ କହିଛନ୍ତି ଯେ, ବିପିଏଫ୍ ସହିତ ମିଳିତ ସହଯୋଗରେ ବିବାଦ ଶୀଘ୍ର ଶେଷ ହେବ। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ସୂଚନାନୁସାରେ,ବିଜେପିର ରାଷ୍ଟ୍ରୀୟ ଉପଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଗସ୍ତରେ ସାମିଲ ହେବେ ।