ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି । ଦଳର ମଙ୍ଗୁଆଳ ତଥା ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା ଓ ନିନ୍ଦା କରିବା ଜାରି ରଖିଛନ୍ତି । ଏବେ ମୋଦି ହିନ୍ଦୁ କାର୍ଡ ଖେଳି କଂଗ୍ରେସକୁ ବ୍ୟାକଫୁଟ୍କୁ ନେଇଛନ୍ତି। ମହାରାଷ୍ଟ୍ରର ବର୍ଦ୍ଧାରେ ମୋଦି 'ହିନ୍ଦୁ ଆତଙ୍କବାଦ' କଥାରେକଂଗ୍ରେସକୁ ନିନ୍ଦା କରିଛନ୍ତି ।
ମୋଦି ସଭାରେ ହିନ୍ଦୁ ଆତଙ୍କବାଦୀ ଶବ୍ଦ ପ୍ରଥମେ କଂଗ୍ରେସ ବ୍ୟବହାର କରୁଥିବା କଥା କହିଛନ୍ତି । ଦେଶର କୋଟିକୋଟି ହିନ୍ଦୁଙ୍କ ଉପରେ 'ହିନ୍ଦୁ ଆତଙ୍କବାଦ' ଦାଗ ଲଗାଇବା କାମ କଂଗ୍ରେସ ପ୍ରଥମ କରିବା ସହ ଏହାକୁ ପ୍ରୟୋଗ ମଧ୍ୟ ଅନେକ ସମୟରେ କରିବା ପାଇଁ ପ୍ରୟାସ କରିଆସୁଅଛି । ଶାନ୍ତିପ୍ରିୟ ହିନ୍ଦୁଙ୍କୁ ଆତଙ୍କବାଦୀ ସଜାଉଥିବା ଦଳକୁ ଏଥର ଉଚିତ ଶିକ୍ଷା ମିଳିବ ବୋଲି ସେ କହିଛନ୍ତି । କଂଗ୍ରେସ କରିଥିବା ପାପର ମୁକ୍ତି ନାହିଁ ବୋଲି କହିଛନ୍ତି ମୋଦି । କଂଗ୍ରେସ କୋଟିକୋଟି ହିନ୍ଦୁଙ୍କୁ ଏଭଳି ଶବ୍ଦ ପ୍ରୟୋଗ କରି ଅପମାନିତ କରୁଥିବା କଥା ସେ କହିଛନ୍ତି ।
ହଜାର ବର୍ଷର ଇତିହାସରେ ହିନ୍ଦୁମାନେ କେବେ ବି ଆତଙ୍କରାଜ କରିନାହାଁନ୍ତି । ହଜାର ବର୍ଷ ପୁରୁଣା ହିନ୍ଦୁ ସଂସ୍କୃତିର କେଉଁଠି ଗୋଟିଏ ମାତ୍ର ଉଦାହରଣ ନାହିଁ ଯେଉଁଠାରେ ହିନ୍ଦୁ ଆତଙ୍କବାଦ ସହ ଜଡିତ ରହିଛନ୍ତି । କଂଗ୍ରେସ ହିନ୍ଦୁଙ୍କୁ ଆତଙ୍କବାଦୀ କହିବାର ପାପ କରିଛି ବୋଲି ମୋଦି କହିଛନ୍ତି । ଏହାସହ ସେ କହିଛନ୍ତି ଏବେ ଯେଉଁଠାରେ ସଂଖ୍ୟାଧିକ ହିନ୍ଦୁ ରହିଛନ୍ତି ସେଠାରେ କିଛି ନେତା ପରାଜୟକୁ ଡରି ନିର୍ବାଚନ ଲଢିବାକୁ ଅନ୍ୟସ୍ଥାନକୁ ଯାଉଛନ୍ତି ।