ଶ୍ରୀନଗର: ଧିରେଧିରେ ସ୍ବାଭାବିକ ହେଉଛି ଜମ୍ମୁ-କାଶ୍ମୀର । କିଛି ଦିନ ତଳେ ପ୍ରାଇମେରୀ ଓ ମାଇନର ସ୍କୁଲ ଖୋଲିଥିବା ବେଳେ ବୁଧବାର ଠାରୁ ହାଇସ୍କୁଲ ଗୁଡ଼ିକ ଖୋଲି ଦେଇଛନ୍ତି । ସ୍କୁଲ ଗୁଡ଼ିକ ଖୋଲିବା ପରେ ଇଟିଭି ଭାରତ ସ୍ଥିତି ପରଖିଥିଲା । ଏହି ସମୟରେ ଏକ ସ୍କୁଲର କେୟାରଟେକର ସହିତ ଆଲୋଚନା ମଧ୍ୟ କରିଥିଲା । ତେବେ ଏହି ଆଲୋଚନା ସମୟରେ ଉକ୍ତ କର୍ମଚାରୀ ଜଣକ କହିଥିଲା ଯେ, ଶିକ୍ଷକମାନେ ସ୍କୁଲକୁ ଠିକ ସମୟରେ ଆସୁଛନ୍ତି । ମାତ୍ର କିଛିଟା ଶ୍ରେଣୀରେ ପିଲାମାନେ ଆସିଥିବା ବେଳେ ଅନ୍ୟ କିଛି ଶ୍ରେଣୀରେ ପିଲାଙ୍କ ସଂଖ୍ୟା କମ ରହିଥିବା ଦେଖିବାକୁ ମିଳିଛି ।
ସେପଟେ ବେସରକାରୀ ସଂସ୍ଥା, ବେସରକାରୀ ସ୍କୁଲ, ପ୍ରାଥମିକ ସ୍କୁଲରେ ପିଲାମାନଙ୍କ ଅନୁପସ୍ଥିତି ରହିଥିବା ଦେଖିବାକୁ ମିଳିଛି । ଏହା ସହିତ ଉକ୍ତ ସଂସ୍ଥା ଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲକୁ ଛାଡ଼ୁନଥିବା ଜଣାପଡ଼ିଛି ।
ସୂଚନା ମୁତାବକ ପୂର୍ବରୁ ସରକାର ସମଗ୍ର ଘାଟି ଅଞ୍ଚଳରେ ପ୍ରାଇମେରୀ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସ୍କୁଲ ଖୋଲାସରିଛି । ମାତ୍ର ପିଲାମାନେ ସ୍କୁଲକୁ ଆସୁନଥିବା ଦେଖିବାକୁ ମିଳିଛି । ସେପଟେ ସ୍କୁଲ ଗୁଡ଼ିକୁ ସ୍ବାଭାବିକ କରିବା ଓ ପିଲାମାନେ ସ୍କୁଲ କିପରି ସୁରକ୍ଷିତ ଭାବେ ଆସିବେ ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେଉଛନ୍ତି ।
ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ ରହିଛି । 22ଟି ଜିଲାରୁ 12ଟି ରେ ସ୍ଥିତି ସ୍ବାଭାବିକ ରହିଛି । ସ୍କୁଲ ଗୁଡ଼ିକ ମଧ୍ୟ ସ୍ବାଭାବିକ ଭାବେ ପରିଚାଳିତ ହେଉଛି । ମାତ୍ର ଘାଟି ଅଞ୍ଚଳରେ ସ୍କୁଲ ଗୁଡ଼ିକ ଧିରେ ଧିରେ ସ୍ବାଭାବିକ ହେଉଛି । ସ୍କୁଲ ଗୁଡ଼ିକୁ ମଧ୍ୟ ଖୋଲାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ପିଲାମାନେ ଆସୁନାହାନ୍ତି । ସହରର ମୁଖ୍ୟ ସ୍ଥାନ କୁହାଯାଉଥିବା ଲାଲ ଚୌକରେ ମଧ୍ୟ ପରିସ୍ଥିତି ସ୍ବାଭାବିକ ହୋଇଥିବା ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଗତ 5 ତାରିଖରେ ସରକାର ଜମ୍ମୁ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରିଥିଲେ । ଏହାକୁ ନେଇ ରାଜ୍ୟରେ ଧାରା 144 ଲାଗୁ କରାଯିବା ସହିତ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଯାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଢାଯାଇତିଲା ।