ଭୋପାଳ: ମଧ୍ୟପ୍ରଦେଶରେ ଦାଉ ସାଧିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ରାଜ୍ୟର ପଶ୍ଚିମ ଭାଗରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମଣ୍ଡସୁର ଏବଂ ନିମୁଚ ଜିଲ୍ଲା । ରବିବାର ଠାରୁ ଲାଗି ରହିଛି ବର୍ଷା, ସୋମବାର ସକାଳେ ମଧ୍ୟ ବର୍ଷାର ଧାରା କମିବାର ନାଁ ନେଉନାହିଁ। ବର୍ଷା ଯୋଗୁଁ ରାସ୍ତା ଉପରେ ଜମି ରହିଛି ଅଣ୍ଟାଏ ଅଣ୍ଟାଏ ପାଣି । ସେଥିରେ ଯାତାୟତ ପାଇଁ ଲୋକେ ବୋଟର ସାହାଯ୍ୟ ନେଉଛନ୍ତି । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏପଟେ 125ଟି ଗାଁରୁ ପାଖାପାଖି 46ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । କିଛି ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ଥିବାରୁ ଗାଁର ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଦିଆଯାଇଥିବା ସୂଚନା ଦେଇଛନ୍ତି ଯୁଗ୍ମ ଲୋକ ସଂପର୍କ ଅଧିକାରୀ ମନୋଜ ପାଠ। ନର୍ମଦା ଭ୍ୟାଲିରେ ଥିବା ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଆବେଦନ କରାଯାଇଛି । ଏହାଛଡା 32ହଜାର ପରିବାର ଇନ୍ଦିରା ସାଗର ଏବଂ ସର୍ଦ୍ଦାର ସରୋବର ଡ୍ୟାମ ଅଞ୍ଚଳରେ ରହିଛି ଅନେକ ଲୋକ । ଉଭୟ ଡ୍ୟାମରେ ବଢୁଛି ଜଳସ୍ତର । ଏହାକୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ ।
ବରୱାନୀ ନିକଟ ନିଶାରପୁରରେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଆସନ୍ତା 22 ତାରିଖରେ ଚାଷୀ ହରାଇଥିବା ଜମି ନେଇ ହେବ ବିକ୍ଷୋଭ । କଂଗ୍ରେସ ସରକାର ବିପନ୍ନଙ୍କୁ ଯଥାଶୀଘ୍ର ସାହାଯ୍ୟ ଯୋଗାଇବା ଦରକାର । ନଚେତ ଚାଷୀଙ୍କ ସହ ଆନ୍ଦୋଳନକୁ ଓହ୍ଲାଇବ ଦଳ । ରାଜ୍ୟରେ 5 ସପ୍ତାହ ହେବ ମୁଖ୍ୟମନ୍ତ୍ରୀ ନଜର ଆସୁନାହାଁନ୍ତି । ଆମେ ଅଞ୍ଚଳର ଉପରେ ସଂପୂର୍ଣ୍ଣ ନଜର ରଖିଛୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।