ଅମରାବତୀ: ବୃଦ୍ଧ ବାପା ଥାଉ ଥାଉ ଆଖି ବୁଜିଲା ଭେଣ୍ଡା ପୁଅ । କିନ୍ତୁ କୋରୋନାରେ ମୃତ୍ୟୁବରଣ କରିଥିବା ପୁଅର ମୃତଦେହକୁ ମଧ୍ୟ ଉଚିତ ଦାୟିତ୍ବ ସହ ସତ୍କାର କରିନଥିଲା ପ୍ରଶାସନ । ତେବେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲେ ସୁଦ୍ଧା କର୍ତ୍ତୃପକ୍ଷ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନଥିଲେ । ବୃଦ୍ଧ ବାପା ଏକାକୀ ପିପିଇ କିଟ୍ ଏବଂ ଗ୍ଲୋବସ୍ ନ ପିନ୍ଧି ପୁଅକୁ ଶ୍ମଶାନରେ ପୋତି ଦେଇଥିଲେ। ଏହି ଘଟଣା ଆନ୍ଧ୍ରପ୍ରଦେଶର ଭିଜିଆନଗରମ ଜିଲ୍ଲାର ସାଲୁରରେ ଘଟିଥିବା ବେଳେ ଏହାର ଦୃଶ୍ୟ ଦେଖିଲେ ଯେ କେହି ମଧ୍ୟ କୋହ ସମ୍ଭାଳିବାରେ ସକ୍ଷମ ହେବ ନାହିଁ ।
ଭିଜିଆନଗରାମ ଜିଲ୍ଲାର ପାଚିପେଣ୍ଟା ମଣ୍ଡଳର କୋଣ୍ଡା ଥାଡୁରର ଜଣେ ଆଦିବାସୀ ବ୍ୟକ୍ତି ଅସୁସ୍ଥତା ଯୋଗୁଁ ପାଞ୍ଚ ଦିନ ପୂର୍ବରୁ ସାଲୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ଫଳାଫଳ ବାହାରିବା ପୂର୍ବରୁ ବୁଧବାର ସେ କୋରୋନା ଲକ୍ଷଣ ସହିତ ମୃତ୍ୟୁ ବରଣ କରିଛନ୍ତି । ପରେ ପୋଲିସ ଓ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ ଏବଂ ଖବର ପାଇଁ ପହଁଚିଥିଲେ ମୃତକଙ୍କ ପିତା ।
ପୁଅର ଅନ୍ତିମ ସଂସ୍କାର ପାଇଁ ବୃଦ୍ଧ ବାପା ପାଖରେ ଯେତେବେଳେ କେହି ଠିଆ ହେଲେ ନାହିଁ ସେତେବେଳେ ସେ ନିଜ ପୁଅର ମୃତଦେହକୁ ନିକଟସ୍ଥ ଶ୍ମଶାନକୁ ଏାକାକୀ ନେଇଥିଲେ ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କ ଦ୍ୱାରା ଖୋଲାଯାଇଥିବା ଏକ ଗାତରେ ସମାଧି ଦିଆଯାଇଛି | ଯଦିଓ ସେ କୋରୋନା ଲକ୍ଷଣ ସହିତ ମୃତ୍ୟୁ ବରଣ କରିଛନ୍ତି କର୍ତ୍ତୃପକ୍ଷ ସର୍ବନିମ୍ନ ସତର୍କତା ଅବଲମ୍ବନ କରିନାହାଁନ୍ତି। ଶେଷରେ ବିନା ପିପିଇ କିଟ ଏବଂ ମାସ୍କରେ ପିତା ପୁଅର ଅନ୍ତିମ ସଂସ୍କାର କରାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ