ନିକଟରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ସଂସ୍ଥା ଘୋଷଣା କରିଛି ଯେ ଦେଶରେ 5 ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ପ୍ରବଳ ମାତ୍ରାରେ ପୁଷ୍ଟିହୀନତା ରହିଛି । କେନ୍ଦ୍ରର ଉନ୍ନୟନ କାର୍ଯ୍ୟସୂଚୀରେ ପୁଷ୍ଟିକର ଖାଦ୍ୟ ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ନୀତି ଆୟୋଗ କରିଥିବା ସୁପାରିସକୁ କେନ୍ଦ୍ର ସରକାର ସକାରାତ୍ମକ ଭାବରେ ଗ୍ରହଣ କରି ତଦନୁଯାୟୀ କାର୍ଯ୍ୟ କରିବା ଉଚିତ ହୋଇଥାଆନ୍ତା ।
ହେଲେ, ଏ ପ୍ରସଙ୍ଗରେ କେନ୍ଦ୍ର ସରକାର କଲେ କ’ଣ ? ନିଜ ମୁଣ୍ଡରୁ ଏହି ଦାୟିତ୍ବର ବୋଝ ଖସାଇ ଦେଲେ । ସୁତରାଂ, ପୋଷଣ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟକୁ ସରକାର ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବେ ବୋଲି ରହିଥିବା ଆଶା ଧୂଳିସାତ୍ ହୋଇଗଲା । ସର୍ବଶେଷ କେନ୍ଦ୍ରୀୟ ବଜେଟରେ ଶିଶୁ କଲ୍ୟାଣ ବାବଦ ବ୍ୟୟବରାଦକୁ ଅତି ମାତ୍ରାରେ ସଂକୁଚିତ କରିଦିଆଯାଇଛି । ବଜେଟ୍ ଅନୁଧ୍ୟାନରୁ ସ୍ପଷ୍ଟ ଜଣାପଡ଼େ ଯେ, ସମନ୍ବିତ ଶିଶୁ ବିକାଶ ଯୋଜନା ବାବଦ ବ୍ୟୟବରାଦରେ 5000 କୋଟି ଟଙ୍କା ହ୍ରାସ କରାଯାଇଛି । ଏହା ଫଳରେ ଏ ବାବଦ ମୋଟ ବ୍ୟୟବରାଦ 21,000 କୋଟି ଟଙ୍କାକୁ ଖସି ଆସିବ ।
ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ସେମାନଙ୍କୁ ପୁଷ୍ଟି ଯୋଗାଣର ସମଗ୍ର ଦାୟିତ୍ବ ଗ୍ରାମ ଓ ଜନବସତି ସ୍ତରରେ କାର୍ଯ୍ୟରତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନ୍ୟସ୍ତ କରି ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଉ ବୋଲି କିଛି ଦିନ ତଳେ ନୀତି ଆୟୋଗ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ଆୟୋଗ ଆହୁରି ଉଲ୍ଲେଖ କରିଥିଲେ ଯେ, ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି କରାଯିବା ସହିତ ବିଭିନ୍ନ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ଦକ୍ଷତାର ବିକାଶ କରାଯିବା ଉଚିତ ।
ଅଧ୍ୟୟନରୁ ଜଣାଯାଇଛି ଯେ, ଗର୍ଭଧାରଣ ଦିନରୁ 1000 ଦିନ ଭିତରେ ଶିଶୁମାନଙ୍କ ମସ୍ତିଷ୍କର 90 ପ୍ରତିଶତ ଗଠିତ ହୋଇଥାଏ । ଏହି ସମୟରେ ଗର୍ଭବତୀ ମାଆମାନେ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରିଥାଆନ୍ତି । ମାଆ ଓ ଶିଶୁମାନଙ୍କ ପାଇଁ ପୌଷ୍ଟିକ ଆହାରର ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ, ଏଭଳି ତଥ୍ୟ ଭିତ୍ତିରେ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ବ୍ୟୟବରାଦ ବୃଦ୍ଧି କରିବା ଉଚିତ ହୋଇଥାଆନ୍ତା । ବ୍ୟୟବରାଦ ବୃଦ୍ଧି କରିବା ପରିବର୍ତ୍ତେ, କେନ୍ଦ୍ର ସରକାର ଏଥିରେ କାଟ୍ କରିଛନ୍ତି । ଏହି ପ୍ରାଥମିକତାକୁ ଯେଉଁଭଳି ଢଙ୍ଗରେ ବଦଳାଇ ଦିଆଗଲା, ସେଥିରେ କେବଳ ସ୍ବାସ୍ଥ୍ୟ, ପୁଷ୍ଟି ଓ ଖାଦ୍ୟ ଅଧିକାର ବିଶେଷଜ୍ଞମାନଙ୍କ ମଧ୍ୟରେ ନୁହେଁ, ବରଂ ସାଧାରଣ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ବି ଅସନ୍ତୋଷସୃଷ୍ଟି ହୋଇଛି ।
ପ୍ରାୟ ତିନି ଦଶନ୍ଧି ତଳେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ, ଛଅ ବର୍ଷରୁ କମ୍ ବୟସର ସମସ୍ତ ଶିଶୁ, କିଶୋରୀ ବୟସର ବାଳିକା, ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ମାଆମାନଙ୍କୁ ଅତି କମ୍ରେ 300 ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଦେବାକୁ କୁହାଯାଇଥିଲା । ସାଢ଼େ ଚାରି ଦଶନ୍ଧିରୁ ଅଧିକ ସମୟ ହେଲା ସାରା ଦେଶରେ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରଚଳିତ ହୋଇଆସିଛି । ଯଦିଓ ପ୍ରତିଷେଧକ ଟିକାଦାନ ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ ନିମନ୍ତେ ଦେଶରେ 17 ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିବା ଲାଗି ଅଦାଲତ ପ୍ରସ୍ତାବ ଦେଇଥିଲେ, ତଥାପି ଆଜି ଯାଏ ସାରା ଦେଶରେ ମାତ୍ର 13.77 ଲକ୍ଷ କେନ୍ଦ୍ର ସ୍ଥାପିତ ହୋଇଛି ।
ଉପଲବ୍ଧ ତଥ୍ୟ ଅନୁସାରେ, ଏଥିରୁ ପ୍ରାୟ ଏକ ଚତୁର୍ଥାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ପିଇବା ପାଣି ସୁବିଧା ନାହିଁ ଏବଂ 36 ପ୍ରତିଶତ କେନ୍ଦ୍ରରେ ଗୋଟିଏ ହେଲେ ଶୌଚାଳୟ ନାହିଁ । ଅନେକ କେନ୍ଦ୍ର କେବଳ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଅବୈଧ ଉପାର୍ଜନ ସ୍ଥଳରେ ପରିଣତ ହୋଇଛି । ସମନ୍ବିତ ଶିଶୁ ବିକାଶ ଯୋଜନା (ICDS) ସାରା ବିଶ୍ବର ବୃହତ୍ତମ ପୁଷ୍ଟିଯୋଗାଣ ଯୋଜନା । ଅଙ୍ଗନବାଡ଼ି କେନ୍ଦ୍ରକୁ ପିଇବା ପାଣି ଓ ବିଦ୍ୟୁତ ଶକ୍ତି ଯୋଗାଣରେ ବିଫଳତା ଯୋଗୁଁ ଗତ କିଛି ବର୍ଷ ହେଲା ଏହି ଯୋଜନା ବାଧାପ୍ରାପ୍ତ ହୋଇଛି । 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କର ମୃତ୍ୟୁ କ୍ଷେତ୍ରରେ 68 ପ୍ରତିଶତ ମୃତ୍ୟୁ ପୁଷ୍ଟିହୀନତା ଯୋଗୁଁ ହୋଇଥାଏ ।
ଅତୀତର ତ୍ରୁଟିରୁ ହାସଲ ଅଭିଜ୍ଞତା ଭିତ୍ତିରେ ପୁଷ୍ଟିହୀନତା ଜନିତ ସମସ୍ୟାର ସମାଧାନ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ସରକାରୀ କର୍ତ୍ତୃପକ୍ଷ କହିଆସୁଥିଲେ ହେଁ ସାରା ଦେଶରେ ପୁଷ୍ଟିହୀନତା କାରଣରୁ ପ୍ରାୟ 7 ଲକ୍ଷ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି । ସାତ ମାସ ତଳେ, “ଗ୍ଲାବାଲ ହେଲ୍ଥ ସାଇନ୍ସ” ନାମକ ପତ୍ରିକା ସତର୍କ କରାଇ ଦେଇଥିଲା ଯେ, କୋଭିଡ୍-19 ସଂକଟ ପୃଷ୍ଠଭୂମିରେ ଆଉ ଅଧିକ 40 ଲକ୍ଷ ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ଦେଖାଦେବ । ବାସ୍ତବ କ୍ଷେତ୍ରରେ କାର୍ଯ୍ୟପନ୍ଥା ସୁଧାରିବାରେ ବିଫଳତା ଏବଂ ତଥ୍ୟ ସମ୍ବଳିତ ସୁପାରିସକୁ ଗ୍ରହଣ କରିବା ଲାଗି ଅମଙ୍ଗ ହେବା କାରଣରୁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ଯେ ସମଗ୍ର ବିଶ୍ବର 30 ପ୍ରତିଶତ ଅବିକଶିତ ଶିଶୁ ଭାରତରେ ହିଁ ରହିଛନ୍ତି । ଏହା ସହିତ ପୁଷ୍ଟିହୀନତାର ଶିକାର ହୋଇଥିବା ବିଶ୍ବର 50 ପ୍ରତିଶତ ଶିଶୁ ଆମ ଦେଶରେ ଅଛନ୍ତି । ଆମର ଭବିଷ୍ୟତ ପିଢ଼ିକୁ ସଶକ୍ତ ନକରି ଆମେ କିଭଳି ‘ଶ୍ରେଷ୍ଠ ଭାରତ’ର ଲକ୍ଷ୍ୟ ହାସଲ କରିପାରିବା ?