ହାଇଦ୍ରାବାଦ: ଆସନ୍ତା 21ରେ ହରିୟାଣା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନେତାଙ୍କ ପ୍ରତିଶୃତି ବର୍ଷାରେ ଏବେ ହରିୟାଣାର ଗଗନ ପବନ ପ୍ରକମ୍ପିତ । ଆଜି ଶାସକ ବିଜେପିର ପ୍ରଚାର ନେତୃତ୍ବ ନେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହା ।
ଆଜି ହରିୟାଣାର ପାନିପତ ଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଶାହା । ଅମିତ କହିଛନ୍ତି ଆସନ୍ତା 21 ତାରିଖ କହିବ ହରିୟାଣା କଣ ଚାହୁଁଛି । ହରିୟାଣା ନିଷ୍ପତ୍ତି ନେବ ସେମାନେ ମଜବୁର ସରକାର ଚାହୁଁଛନ୍ତି ନା ମଜବୁତ ସରକାର । ଭ୍ରଷ୍ଟାଚାର ବାଲା ସରକାର ଦରକାର ନା ଭ୍ରଷ୍ଟାଚାର ମୁକ୍ତ ସରକାର ଦରକାର । ଏହାସହ ଆହ୍ବାନ ଦେଇଥିଲେ ରାଜ୍ୟରେ ସୁଶାସନ ଦରକାର ତ ବିଜେପିକୁ ପୁଣିଥରେ କ୍ଷମତାକୁ ଆଣ ।
ଏତିକିରେ ଅଟକିଯାଇ ନାହାଁନ୍ତି ଶାହା । କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପାଳିର ଆରମ୍ଭରେ ହୋଇଥିବା କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ଦେଶରେ ସରକାର ଆସିଛି ଯାଇଛି ପ୍ରଧାନମନ୍ତ୍ରୀ ଆସିଛନ୍ତି ଯାଇଛନ୍ତି କିନ୍ତୁ କେହି ଧାରା 370 ହଟାଇବାକୁ ସାହସ କରୁନଥିଲେ । ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ତାହା କରି ଦେଖାଇଛନ୍ତି ବୋଲି ଅମିତ କହିଛନ୍ତି ।
ଏହାସହ କଂଗ୍ରସ ଉପରେ ହମଲା କରି କହିଛନ୍ତି କଂଗ୍ରେସ ସରକାର ସମୟରେ କାଶ୍ମୀରରେ ଆତଙ୍କବାଦୀ ବୃଦ୍ଧି ପାଉଥିଲା । ଏବେ ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ସେନା ଆକ୍ରମଣ କରୁଛି । କାଶ୍ମୀର ଯୁବକଙ୍କୁ ପାକିସ୍ତାନ ପ୍ରଲୋଭିତ କରୁଥିଲା । ଏବେ କାଶ୍ମୀରରେ ବିକାଶ ଆରମ୍ଭ ହୋଇଛି ବୋଲି ଶାହା କହିଛନ୍ତି । ଏହାସହ କଂଗ୍ରେସକୁ ଅତି କଡା ଭାଷାରେ ସମାଲୋଚନା କରିଥିଲେ ।