ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଯବାନଙ୍କ ଉପରକୁ ପୁଣି ଆତଙ୍କବାଦୀ ଆକ୍ରମଣ । କୁଲଗାମର କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ)ର ଏକ ଶିବିରକୁ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନ ଜଣକ 167 ତମ ବାଟାଲିୟନର ବୋଲି ଜଣା ପଡିଛି ।
ବୁଧବାର ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଏହି ଆକ୍ରମଣ ଭିଆଇଥିଲେ ଆତଙ୍କବାଦୀ । ତେବେ ଆକ୍ରମଣ ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ । ସେପଟେ ଘଟଣାରେ ଆହତ ଯବାନଙ୍କୁ ତୁରନ୍ତ କୁଲଗାମର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଶ୍ରୀନଗର ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିବା ଜଣା ପଡିଛି । ସେପଟେ ଗ୍ରେନେଡ ଆକ୍ରମଣ ପରେ ସିଆରପିଏଫ, ସେନାର ଯବାନ ଏବଂ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।