ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ଲାଷ୍ଟିକର ବ୍ୟବହାରକୁ ଯଥା ସମ୍ଭବ କମ କରିବା ସହ ଏହାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଥରେ ମାତ୍ର ବ୍ୟବହୃତ ହୋଇ ପାରୁଥିବା ପ୍ଲାଷ୍ଟିକକୁ ବନ୍ଦ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଏନେଇ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି ।
ବୁଧବାର ଅନୁଷ୍ଠିତ ହୋଇ ଯାଇଥିବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକରେ କେନ୍ଦ୍ରୀୟ ପାନୀୟ ଜଳ ଓ ସ୍ବଚ୍ଛତା ବିଭାଗର ସଚିବ ପରମେଶ୍ବର ଆୟାର ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ଆରମ୍ଭ ହେବାକୁ ଥିବା ଅଭିଯାନ 3ଟି ପର୍ଯ୍ୟାୟରେ ଆୟୋଜିତ ହେବ।

ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶବ୍ୟାପୀ ସଚେତନତା ଶିବିର ଅନୁଷ୍ଠିତ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ ଅଧିକାରୀ ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ଏକାଠି କରିବେ। ଅନ୍ତିମ ପର୍ଯ୍ୟାୟରେ ସଂଗୃହୀତ ପ୍ଲାଷ୍ଟିକକୁ ରିସାଇକ୍ଲିଂ (ପୁନଃଚକ୍ରଣ) ପଦ୍ଧତିରେ ବିକଶିତ କରାଯିବ।
ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତ ମନ୍ତ୍ରାଳୟକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ, ଗୋଟିଏ ଥର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବାକୁ ନିବେଦନ କରିଥିଲେ।