ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟର ଉଗ୍ରବାଦକୁ ଶେଷ କରିବା ପାଇଁ ସୋମବାର ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସାମର ଉଗ୍ରପନ୍ଥୀ ଗୋଷ୍ଠୀ ନ୍ୟାସନାଲ ଡେମକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡୋଲ୍ୟାଣ୍ଡ(ଏନ୍ଡିଏଫ୍ବି) ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି ସରକାର। ଏହି ଚୁକ୍ତି କେନ୍ଦ୍ର ସରକାର, ଆସାମ ସରକାର ଏବଂ ଏନ୍ଡିଏଫ୍ବିର ୪ ଗୋଷ୍ଠୀଙ୍କ ମଧ୍ୟରେ ହୋଇଛି । ଏହି ଚୁକ୍ତି ଆସାମ ଏବଂ ବଡୋ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଉଜ୍ବଳ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
ଏହି ତ୍ରିପାକ୍ଷୀୟ ଚୁକ୍ତି ସ୍ବାକ୍ଷର ସମୟରେ ଗୃହମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଏବଂ ଏନଡିଏଫବିର ଚାରି ଗୋଷ୍ଠୀର ଶୀର୍ଷ ପ୍ରତିନିଧି ଉପସ୍ଥିତ ଥିଲେ । ସ୍ବତନ୍ତ୍ର ରାଜ୍ୟ ଦାବି କରୁଥିବା ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍ ଆସିସିଏସନ୍ ମଧ୍ୟ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ଅଲଗା ରାଜ୍ୟଗଠନ ପାଇଁ ବନ୍ଧୁକ ଧରିଥିବା ଲୋକଙ୍କ ପାଇଁ ସରକାର ସାନ୍ତ୍ବନାମୂଳକ ମନୋଭାବ ରଖିବେ। ଅପରପକ୍ଷରେ ବୋଡୋ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ମଧ୍ୟ ଏହି ଚୁକ୍ତି ପରେ ହିଂସାର ରାସ୍ତା ଛାଡିବା ସହ ବୋଡୋଲ୍ୟାଣ୍ଡ ପାଇଁ ଭିନ୍ନ ଏକ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶ ଦାବି କରିବେ ନାହିଁ ବୋଲି କହିଛନ୍ତି।
ଏହି ଚୁକ୍ତି ପରେ ପ୍ରାୟ 50 ବର୍ଷରୁ ଜାରି ରହିଥିବା ବୋଡୋଲ୍ୟାଣ୍ଡ ବିବାଦ ଶେଷ ହୋଇଛି ଯେଉଁଥିରେ ଏବେ ସୁଦ୍ଧା 2823 ଲୋକ ନିଜର ଜୀବନ ହରାଇ ସାରିଛନ୍ତି । ଗତ 27 ବର୍ଷରେ ଏହା ଆସାମ ସହ ହୋଇଥିବା ତୃତୀୟ ଚୁକ୍ତି ।
ଚୁକ୍ତି ସ୍ବାକ୍ଷର ପରେ ଅମିତ ଶାହ କହିଛନ୍ତି, ଏହି ରାଜିନାମା ଆସାମ ଏବଂ ବୋଡୋର ଭବିଷ୍ୟତକୁ ଉଜ୍ବଳ କରିବ । ଏନଡିଏଫବିର 1550 ଜଣ ସଦସ୍ୟ 130 ଅସ୍ତ୍ରଶସ୍ତ୍ର ସହ ଜାନୁୟାରୀ 30ରେ ଆତ୍ମସମର୍ପଣ କରିବେ । ଏହି ଚୁକ୍ତି ଆସାମ ଏବଂ ବଡୋ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଉଜ୍ବଳ ଭବିଷ୍ୟତ ନିର୍ଦ୍ଧାରଣ କରିବ । କେନ୍ଦ୍ର ସରକାର ବୋଡୋ ସମ୍ପ୍ରଦାୟ ସହ କରିଥିବା ସମସ୍ତ ପ୍ରତିଶୃତି ପୂରଣ କରିବେ ବୋଲି ଶାହ ଆଶ୍ବାସନା ଦେଇଛନ୍ତି ।