ନୂଆଦିଲ୍ଲୀ: ଏବେ ସ୍ବାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କଲେ ମିଳିବ ଦଣ୍ଡ । ଏହାସହ ଲକ୍ଷାଧିକ ଟଙ୍କାର ଜୋରିମାନା ମଧ୍ୟ ଗଣିବେ ଦୋଷୀ । କେନ୍ଦ୍ର ସରକାର ଏନେଇ ଏକ ଅଧ୍ୟାଦେଶ ଆଣିଛନ୍ତି । ଡାକ୍ତର ଓ ନର୍ସଙ୍କ ସୁରକ୍ଷା ପାଇଁ ସରକାର ନୂଆ ନିୟମ ଜାରି କରିଛନ୍ତି ।
ଏହା ଅନୁସାରେ ଏବେ କୌଣସି ସ୍ବାସ୍ଥ୍ୟ କର୍ମୀଙ୍କୁ କେହି ଆକ୍ରମଣ କଲେ କିମ୍ବା ସେମାନେ ହିଂସାକାଣ୍ଡର ଶିକାର ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ । ନୂଆ ଅଧ୍ୟାଦେଶ ଅନୁସାରେ ଦୋଷୀ ବ୍ୟକ୍ତିଙ୍କୁ ସର୍ବନିମ୍ନ 6 ମାସରୁ ସର୍ବାଧିକ 7 ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରେ । ମାମଲାରେ ତାଙ୍କ ସମ୍ପୃକ୍ତି ଉପରେ ତଦନ୍ତ କରାଯିବା ସହ ତାଙ୍କ ବିରୋଧରେ ମାମଲା ଚାଲିବ । 30 ଦିନ ଭିତରେ ଏହା ଶେଷ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହାସହ ଅଭିଯୁକ୍ତଙ୍କ ଉପରେ ଏକ ଲକ୍ଷରୁ 5 ଲକ୍ଷ ଯାଏଁ ଜୋରିମାନା ଲାଗିବ ।
ସେହିପରି ସ୍ବାସ୍ଥ୍ୟ କର୍ମୀଙ୍କ କ୍ଲିନିକ ଓ ସମ୍ପତ୍ତି ନଷ୍ଟ କଲେ ଏହାର ଭରପୂର ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ହେବ । ନଷ୍ଟ ହୋଇଥିବା ସାମଗ୍ରୀର ଥିବା ମାର୍କେଟ ମୂଲ୍ୟର 2 ଗୁଣ ସମ୍ପୃକ୍ତ ଅଭିଯୁକ୍ତଙ୍କ ଠାରୁ ଆଦାୟ କରାଯିବ । 1897 ମହାମାରୀ ରୋଗ ଆକ୍ଟରେ ସଂଶୋଧନ କରାଯାଇ ଅଧ୍ୟାଦେଶ ଲାଗୁ ହେବ । ସ୍ବାସ୍ଥ୍ୟ କର୍ମୀ ଦେଶର ବିପତ୍ତି ସମୟରେ ଲୋକଙ୍କ ସେବା କରୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ । ଏହାକୁ କେବେ ହେଲେ ବରଦାସ୍ତ କରାଯିବନି । ଏହି ଅପରାଧର ମାମଲା ଜାମିନବିହୀନ ଭାବେ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ।
ନିକଟରେ ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବାର ଦେଖାଯାଇଥିଲା । ବିଶେଷ କରି ସନ୍ଦିଗ୍ଧ ଲୋକଙ୍କ ନମୁନା ସଂଗ୍ରହ କରିବାକୁ ଯାଇଥିବା ଡାକ୍ତରୀ ଟିମଙ୍କ ଉପରେ ଭିଡ ଆକ୍ରମଣ ହୋଇଥିଲା । ଚିକିତ୍ସିତ କରୁଥିବାବେଳେ ମଧ୍ୟ ଆକ୍ରାନ୍ତଙ୍କ ପକ୍ଷରୁ ସେମାନଙ୍କ ପ୍ରତି ଅସଦାଚରଣ ହୋଇଥିଲା । ଏସବୁ ଲକ୍ଷ୍ୟ ରଖି ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହେଉଥିବା ହିଂସାକାଣ୍ଡ ବନ୍ଦ କରିବାକୁ ସରକାର ଏପରି ଅଧ୍ୟାଦେଶ ଆଣିଛନ୍ତି ।
ସୌଜନ୍ୟ@ANI