ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର 63 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ପାରିକରଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମସ୍ତ ଟପ୍ ଲିଡର ଟ୍ବିଟ କରି ସମବେଦନା ଜଣାଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିକରଙ୍କ ବିୟୋଗରେ ବଡ ଘୋଷଣା ହୋଇଛି ।
ଆସନ୍ତାକାଲି (ସୋମବାର) ପାରିକରଙ୍କ ବିୟୋଗରେ ଜାତୀୟ ଶୋକ ଦିବସ ପାଳନ ହେବ । ଏହା ସହିତ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ପାରିକରଙ୍କର ଶେଷ ସତ୍କାର ସମ୍ପନ୍ନ ହେବ । ଏପରିକି ରାଜଧାନୀ ଦିଲ୍ଲୀ ସେମେତ ସମସ୍ତ ରାଜ୍ୟ ରାଜଧାନୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ପତାକା ଅର୍ଦ୍ଧନିମିତ ଉଡିବ ବୋଲି ସୂଚନା ମିଳିଛି ।
ସେହିପରି ଆସନ୍ତାକାଲି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟରେ ପାରିକରଙ୍କ ପାଇଁ ଶୋକ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ପ୍ରକାଶ ଯେ, ପାରିକରଙ୍କ ବିୟୋଗରେ ଦେଶର ସମସ୍ତ ଟପ ଲିଡର ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଅନେକ ନେତା ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।