ଡେରାଡୁନ: ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ହିମାଳୟ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି । ମଧ୍ୟ ହିମାଳୟରୁ ପ୍ରଚୁର ମାତ୍ରାରେ ବରଫ ତରଳୁଥିବା ଜଣାପଡିଛି । ତେବେ ହିମାଳୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ଭବିଷ୍ୟତ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେମାନଙ୍କର କହିବା ମୁତାବକ ବିଗତ 20 ବର୍ଷ ମଧ୍ୟରେ ପାଖାପାଖି 60 ଫୁଟ ବରଫ ତରଳି ସାରିଲାଣି ।
ଏହି ସମସ୍ୟାକୁ ନେଇ କୁମାଉଁ ବିଶ୍ବବିଦ୍ୟାଳୟର ପ୍ରଫେସର ବିଏସ କୌଟଲ୍ୟ କହିଛନ୍ତି ଯେ, ଉତ୍ତରାଖଣ୍ଡ ଏବଂ ହିମାଚଳର ଅନେକ ସ୍ଥାନରେ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ସେହିପରି ଉତ୍ତରାଖଣ୍ଡ ଏବଂ ଜମ୍ମୁ କାଶ୍ମୀର ଅଞ୍ଚଳରେ ମଧ୍ୟ ବରଫ ତରଳୁଥିବା ଦେଖିବାକୁ ମିଳିଛି । ଏଭଳି କ୍ଷେତ୍ରରେ ଉକ୍ତ ସ୍ଥାନର ଜଳବାୟୁ ଉପରେ ଅନୁଧ୍ୟାନ କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଛି ବୋଲି ସେ କହିଛନ୍ତି।
ସେହିପରି ଧାରଚୁଲା ବାସିନ୍ଦା ରବି ଦତ୍ତଲାଲ କହିଛନ୍ତି ପଞ୍ଚାଚୁଲି ଅଞ୍ଚଳରେ ଗ୍ଲାସିଅର 60 ପ୍ରତିଶତରୁ ଊର୍ଦ୍ଧ୍ବ ଭାଗ ତରଳି ସାରିଛି । ଏହା ସହିତ ଗ୍ଲାସିୟର ଅଞ୍ଚଳରେ ମଧ୍ୟ ଗଛଗୁଡ଼ିକ ଦ୍ରୁତ ଗତିରେ ବଢୁଥିବା ଦେଖିବାକୁ ମିଳିଛି । ଫଳରେ ଏଠାରେ ବର୍ଷା ସମୟରେ ବରଫ ପ୍ରବଳ ମାତ୍ରାରେ ତରଳୁଥିବା ସେ କହିଛନ୍ତି ।
ସେପଟେ ଉତ୍ତରାଖଣ୍ଡ ଏବଂ ହିମାଳୟରେ ଟ୍ରାକିଂ କରୁଥିବା ପର୍ଯ୍ୟଟକ କହିଛନ୍ତି କି, ଗାଡ଼ି ସଂଖ୍ୟାରେ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଫଳରେ ଏଭଳି ପରିଣାମ ଦେଖିବାକୁ ମିଳିଛି । ଉଚ୍ଚ ହିମାଳୟରେ ଗାଡ଼ି ଗୁଡ଼ିକରୁ ନିର୍ଗତ ଧୁଆଁ ଓ ବିକଟାଳ ଶବ୍ଦ ଏହାର ପ୍ରମୁଖ କାରଣ । ଏପରିକି ହିମାଳୟର ବରଫ ଧିରେ ଧିରେ କଳା ପଡ଼ିବାକୁ ଲାଗିଛି । ଗ୍ଲାସିୟର ଧିରେ ଧିରେ ତରଳିବାକୁ ଲାଗିଛି । ଏହିପରି ଯଦି ବରଫ ତରଳିବାକୁ ଲାଗେ, ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ବରଫାବୃତ ପର୍ବତ ତାର ସୌନ୍ଦର୍ଯ୍ୟ ହରାଇବ ବୋଲି ପର୍ବତାରୋହୀଙ୍କ ପକ୍ଷରୁ କୁହାଯାଇଛି।
ଏକ ରିପୋର୍ଟ ଅନୁଯାୟୀ ବିଗତ 400 ବର୍ଷରୁ ଏହି ବରଫ ତରଳିବା ଆରମ୍ଭ କରିଛି । କାଶ୍ମୀର ଅଞ୍ଚଳରୁ ଦ୍ରୁତ ଗତିରେ ବରଫ ତରଳିବା ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ତିନୋଟି ରାଜ୍ୟରେ ଭିନ୍ନ ଭିନ୍ନ ପାଣିପାଗ ଦେଖାଦେଉଛି। ଏହାର ଅନୁଧ୍ୟାନ ଓ ଅଧ୍ୟୟନ କରାଯିବା ନିହାତି ଜରୁରୀ ହୋଇ ପଡ଼ିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।