ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନେତୃତ୍ଵ ପରିବର୍ତ୍ତନ ନେଇ ପାର୍ଟି ମଧ୍ୟରେ କନ୍ଦଳ ଦେଖାଯାଇଛି । କଂଗ୍ରେସ ନେତୃତ୍ବ ସଂପର୍କରେ 23 ନେତାଙ୍କ ଦ୍ବାରା ଲେଖାଯାଇଥିବା ଚିଠି ଯୋଗୁଁ ସଭା ଅତ୍ୟନ୍ତ ସରଗରମ ସହ ଆରମ୍ଭ ହୋଇଥିଲା । କିନ୍ତୁ ବିବାଦ ବଢୁଥିବା ଦେଖି ନେତାମାନେ ପରିବେଶକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସମ୍ପର୍କରେ ପ୍ରଥମେ କପିଲ ସିବ୍ବଲ ଏବଂ ବର୍ତ୍ତମାନ ଗୁଲାମ ନବୀ ଆଜାଦ ସ୍ପଷ୍ଟୀକରଣ ଦେଇଛନ୍ତି।
ବୈଠକରେ ରାହୁଲ ଗାନ୍ଧୀ, କଂଗ୍ରେସ ନେତାମାନେ ବିଜେପି ସହିତ ସଲାସୁତୁରା ରାଜନୀତି କରୁଥିବା କହିବା ପରେ ଗୁଲାମନବୀ ଆଜାଦ୍ ଇସ୍ତଫା ଦେବାକୁ ଧମକ ଦେଇଥିବା ସୂଚନା ମିଳିଥିଲା। ହେଲେ ଏନେଇ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି ଆଜାଦ୍ । ସେ ଟ୍ବିଟ କରି କହିଛନ୍ତି, ମୁଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ବିଜେପି ସହ ମୋର ସମ୍ପର୍କ ଥିବା ପ୍ରମାଣ କରିବାକୁ ରାହୁଲ ଗାନ୍ଧୀଙ୍କୁ କହିଥିବା କିଛି ରିପୋର୍ଟରେ ପ୍ରକାଶ ପାଇଛି । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ CWC ବୈଠକରେ କିମ୍ବା ବାହାରେ ରାହୁଲ ଗାନ୍ଧୀ ଆମ ଚିଠିକୁ ବିଜେପି ସହ ଯୋଡି ନାହାଁନ୍ତି।
କଂଗ୍ରେସ ନେତା ପରବର୍ତ୍ତୀ ଟ୍ବିଟରେ ଲେଖିଛନ୍ତି, 'ମୁଁ କହିଥିଲି କିଛି କଂଗ୍ରେସ ନେତା ଅଭିଯୋଗ କରୁଛନ୍ତି ଯେ ଆମେ ବିଜେପି କଥାରେ ପଡି ଏଭଳି ଚିଠି ଲେଖିଛୁ। ସେଥିପାଇଁ ମୁଁ କହିଲି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ କିଛି ସହକର୍ମୀ ଏପରି ଅଭିଯୋଗ କରୁଛନ୍ତି । ଯଦି ସେମାନେ ଏହା ପ୍ରମାଣ କରନ୍ତି, ତେବେ ମୁଁ ଇସ୍ତଫା ଦେଇଦେବି ।'
ସୂଚନାଯୋଗ୍ୟ ଯେ, ବରିଷ୍ଠ ନେତାମାନେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ଚିଠି ଲେଖିଥିଲେ । ରାହୁଲ ଗାନ୍ଧୀ ଯାହାର ପ୍ରତିକ୍ରିୟା ରଖିଥିବା ପ୍ରକାଶ ପାଇଥିଲା । ଯେତେବେଳେ ଦଳ ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଛି, ଏହି ସମୟରେ ନେତୃତ୍ବ ପରିବର୍ତ୍ତନର ଚିଠି ଲେଖିବା କେତେଦୂର ଯଥାର୍ଥ । ଏହାସହ ସେମାନେ ବିଜେପି ସହିତ ସଲାସୁତୁରା ରାଜନୀତି କରୁଥିବା ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୁହାଯାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା ।