ଗାନ୍ଧୀନଗର: ଗରବା ପର୍ବ ହେଉଛି ଗୁଜୁରାଟର ପରିଚୟ । ଯଦି ଏଥର ଗରବା ପାଳନ ନହୁଏ ତାହେଲେ ନବରାତ୍ରୀ ଫିକା ପଡିଯିବ । କୋରୋନା ଭାଇରସ କଟକଣା କାରଣରୁ ଚଳିତ ବର୍ଷ ଗୁଜୁରାଟରେ ଗରବା ପାଳନ କରାଯିବ ନାହିଁ ।
ଫଳରେ ରାଜ୍ୟରେ ବାଣିଜ୍ୟ କାରବାର ମାନ୍ଦା ରହିବ । ନବରାତ୍ରୀ ସହ ସମ୍ପୃକ୍ତ ଥିବା ବାଣିଜ୍ୟ ଯଥା- ସାଜସଜ୍ଜା, ଡିଜେ ସାଉଣ୍ଡ, ଲାଇଟ, ସିକ୍ୟୁରିଟି ସର୍ଭିସ, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ପାର୍ଲର ଇତ୍ୟାଦି ବ୍ୟବସାୟ ଅନେକାଂଶରେ କ୍ଷତିଗ୍ରସ୍ତ ହେବ । ଗରବା ପାଳନ ନହେବା କାରଣରୁ ଏଥର ରାଜ୍ୟରେ 250 ରୁ 300 କୋଟି ଟଙ୍କା କ୍ଷତି ହେବ ବୋଲି ଆକଳନ କରାଯାଇଛି ।
ତେବେ ଆସନ୍ତା 17 ତାରିଖରୁ ନବରାତ୍ରୀ ଆରମ୍ଭ ହେଉଛି । କୋରୋନା କଟକଣାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ଗରବା ପାଳନକୁ ବାରଣ କରିବା ସହ ନାଇନ-ନାଇଟ ଗ୍ରୁପ ଡାନ୍ସ ଏବଂ ହଲ ମାର୍କ ବ୍ୟବସାୟ ଉପରେ କଟକଣା ଜାରି କରିଛନ୍ତି । ଅନ୍ୟପଟେ ମାଆଙ୍କ ଆଳତୀ ଓ ପ୍ରସାଦ ବଣ୍ଟନ ହୋଇପାରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଅନେକ ବ୍ୟବସାୟୀ ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, 'ଲକଡାଉନ ପାଇଁ 7 ରୁ 8 ମାସ ଧରି ଦୋକାନ ବଜାର ବନ୍ଦ ହୋଇଥିବାରୁ ଅନେକ କ୍ଷତି ସହିଥିଲୁ । ଭାବିଥିଲୁ ନବରାତ୍ରୀ ଏବଂ ଦୀପାବଳିରେ କିଛିଟା ଲାଭ ମିଳିବ । ହେଲେ ରାଜ୍ୟ ସରକାର ଗରବା ପାଳନରେ କଟକଣା ଜାରି କରିବା ପରେ ଆଶା ମଉଳି ଯାଇଛି ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ