ମୁମ୍ବାଇ: ଗେଟ ୱେ ଅଫ୍ ଇଣ୍ଡିଆରେ ଜେଏନୟୁ ହିଂସାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ପ୍ରଦର୍ଶନ ସମୟରେ ପ୍ରଦର୍ଶିତ ହୋଇଥିବା ‘ଫ୍ରି କାଶ୍ମୀର’ ବ୍ୟାନରକୁ ନେଇ ବର୍ତ୍ତମାନ ବିବାଦ ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ନେଇ କେନ୍ଦ୍ର ସରକାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନାକୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଏହାକୁ ନିନ୍ଦା କରିଛନ୍ତି।
ପୋଷ୍ଟର ଧରିଥିବା ମିର୍ଜା ପ୍ରଭୂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ଜେଏନୟୁ ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି। ବିଜେପି ନେତ୍ରୀ କିରୀଟ୍ ସୋମେୟା ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଶିବସେନା ନେତା ସଞ୍ଜୟ ରାୱତ, ପୋଷ୍ଟର ଧରି ଥିବା ଛାତ୍ରଙ୍କ ପକ୍ଷ ନେଇଛନ୍ତି। କାଶ୍ମୀରରୁ ଇଣ୍ଟରନେଟ ପ୍ରତିବନ୍ଧକ ଓ ମୋବାଇଲ ସେବା ଆଦିରୁ ମୁକ୍ତ କରିବା ପାଇଁ ‘ଫ୍ରି କାଶ୍ମୀର’ ଲେଖାଯାଇଥିବା ସେ କହିଛନ୍ତି।
ଏ ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାଭିସ ଟ୍ବିଟ କରି ଉଦ୍ଧବ ଠାକରେଙ୍କୁ ଟ୍ୟାଗ୍ କରିଥିଲେ। ଏହି ଆନ୍ଦୋଳନ କ'ଣ ପାଇଁ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ଦେଶ ବିରୋଧି ଅଭିଯାନକୁ ସେ କିପରି ସମର୍ଥନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।