ମୁମ୍ବାଇ: ଉପଭୋକ୍ତା ଏଗ୍ରି-ଟେକ୍ ବ୍ରାଣ୍ଡ ଫ୍ରାଜୋ ଆଣିଛି ଗ୍ରାହକଙ୍କ ପାଇଁ ନୂଆ ଅଫର । ମଙ୍ଗଳବାର ଏହା ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ ଓ ଡଞ୍ଜୋ ସହ ନିଜ ସହଭାଗିତା ଘୋଷଣା କରିଛି । ଏହାଦ୍ବାରା ଏବେ ଘରେ ବସି ତଟକା ପନିପରିବା ଓ ଫଳ ପାଇପାରିବେ ଗ୍ରାହକ । ମୁମ୍ବାଇରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଥିବା ବେଳେ ଲକଡାଉନ କଟକଣା କୋହଳ ଯୋଗୁଁ ଲୋକେ ଘରୁ ବାହାରକୁ ବାହରୁଥିବା ଦେଖିବାକୁ ମିଳୁଛି ।
କିନ୍ତୁ ଏବେ ଆଉ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଅନାବଶ୍ୟକ ଯିବାକୁ ପଡିବ ନାହିଁ । କାରଣ ଏବେ ଗ୍ରାହକଙ୍କ ଆବଶ୍ୟକତା ମୁତାବକ ସମସ୍ତ ପନିପରିବା ଓ ତାଜା ଫଳ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ମୁମ୍ବାଇର ଏଗ୍ରି-ଟେକ୍ ବ୍ରାଣ୍ଡ ଫ୍ରାଜୋ । ମୁମ୍ବାଇର ପୋୱାଇ, ଚାନ୍ଦିବାଲି, ଅନ୍ଧେରୀ ୱେଷ୍ଟ ଓ ଅନ୍ଧେରୀ ଇଷ୍ଟରେ ସମେତ ପୁଣେର ମାର୍ଗାରପଟ୍ଟା, ହିଞ୍ଜେୱାଡି ଓ ବିଶାଲ ନଗରରେ ଫ୍ରାଜୋର ବଢୁଥିବା ଚାହିଦା ଦେଖି କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା କହିଛି ।
ତେବେ ଗ୍ରାହକଙ୍କୁ ପାଖରେ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ କିପରି ସୁରକ୍ଷିତ ଭାବେ ପହଞ୍ଚିବ ସେଥିପାଇଁ ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ସହ କମ୍ପାନୀ ହାତ ମିଶାଇଛି । ଏହି ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମଗୁଡିକ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବା ସହ ସୁରକ୍ଷା ପଦକ୍ଷେପର କଡାକଡି ପାଳନ କରୁଛନ୍ତି । ଗ୍ରାହକଙ୍କ ବିଶ୍ବାସ ଜିତିବା ପାଇଁ ଏହା ଜରୁରୀ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଫ୍ରାଜୋ ସହପ୍ରତିଷ୍ଠାତା ତଥା ସିଇଓ ଅତୁଲ କୁମାର ।
ସୂଚନା ଅନୁଯାୟୀ ଫ୍ରାଜୋ ପ୍ରାୟ 500 ଚାଷୀଙ୍କଠାରୁ ପନିପରିବା ଓ ଫଳ ସଂଗ୍ରହ କରିଥାଏ । ତେବେ କୋରୋନା ସଂକ୍ରମଣ ସମୟରେ କମ୍ପାନୀର ଚାହିଦା ବଢିବା ସହ ଦୈନିକ ପ୍ରାୟ 200 ଅର୍ଡର ଆସୁଥିବା କମ୍ପାନୀ ପ୍ରକାଶ କରିଛି ।
@IANS