ଅମରାବତୀ: ଆନ୍ଧ୍ର ପ୍ରଦେଶରେ ତିନୋଟି ରାଜଧାନୀ କରିବାକୁ ବିରୋଧ କରି ଟାୱାରରେ ଚଢିଲେ 4 ଜଣ ଚାଷୀ । ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ଅମରାବତୀକୁ ହିଁ କେବଳ ରାଜଧାନୀ କରିବାକୁ ଏମାନେ ଦାବି କରିଛନ୍ତି ।
ଶନିବାର, ଅମରାବତୀ ଅଞ୍ଚଳ ତୁଲ୍ଲୁର ଗାଁର 4 ଜଣ ଚାଷୀ ଏପରି କହି ଟାୱାର ଉପରେ ଚଢିଥିଲେ । ତୁଲ୍ଲୁର ଥାନାଧିକାରୀ ଶ୍ରୀହରି ରାଓ ଘଟଣାସ୍ଥଳରେ ପହଞ୍ଚିବା ସହ ଚାଷୀଙ୍କ ଦାବିକୁ ସରକାର ବିଚାର କରିବେ ବୋଲି କହିବାରୁ ସେମାନେ ଟାୱାର ତଳକୁ ଓହ୍ଲାଇଥିଲେ ।
ଚାଷୀଙ୍କର ଏପରି କାର୍ଯ୍ୟ ପାଇଁ ସେମାନଙ୍କୁ ଅଟକ ରଖାଯାଇ ନଥିବାବେଳେ ସେମାନଙ୍କ ସହିତ ରବିବାର ଆଲୋଚନା ହେବ ବୋଲି ଜଣାପଡିଛି । ସେପଟେ ଅମରାବତୀ ଅଞ୍ଚଳର ଚାଷୀ ମାନେ ସେମାନଙ୍କ ଘର ଆଗରେ ‘ଅମରାବତୀ ଆମର ରାଜଧାନୀ, ଅମରାବତୀ ବଞ୍ଚାଓ, ଆନ୍ଧ୍ରପ୍ରଦେଶ ବଞ୍ଚାଓ’ ବୋଲି ପୋଷ୍ଟର ଲଗାଇଛନ୍ତି ।