ଲକ୍ଷ୍ନୌ: ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିଥିବା ଉନ୍ନାଓ ପୀଡିତାଙ୍କ ପରିବାରକୁ ଭେଟିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଏହା ସହ ପୀଡିତାଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସେ।
ପୀଡିତାଙ୍କ ପରିବାରକୁ ଭେଟିବା ପରେ ଅଖିଳେଶ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ, ଯେଉଁ ସରକାର ମହିଳାଙ୍କ କଥାକୁ ପ୍ରଥମ ପ୍ରାଥମିକତା ଦିଆଯାଉଥିବା କଥା କହୁଛନ୍ତି ସେହି ସରକାରରେ ରହିଛି ଉନ୍ନାଓ ଭଳି ସହର। ଯେଉଁଠି ପୀଡିତା ନ୍ୟାୟ ନପାଇ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରି ଜୀବନ ହାରୁଛି। ସେହିପରି ସୋମବାର ବାରଣାସୀର ଜଣେ ଦୁଷ୍କର୍ମ ପୀଡିତା ନ୍ୟାୟ ନମିଳିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଏବେ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଘଟଣାକୁ ମଧ୍ୟ ସାମନାକୁ ଆଣିଥିଲେ।
ନ୍ୟାୟ ନପାଇ ଦୁନିଆରୁ ବିଦା ହୋଇଥିବା ପୀଡିତା ଜଣକ ବାରମ୍ବାର ନ୍ୟାୟ ପାଇଁ ପୋଲିସ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସଭିଙ୍କୁ ଚିଠି ଲେଖିଥିଲେ। ତଥାପି ତାଙ୍କୁ ନ୍ୟାୟ ମିଳିନଥିଲା। ପୂର୍ବରୁ ମଧ୍ୟ ଉନ୍ନାଓର ଜଣେ ପୀଡିତାଙ୍କୁ କେତେକ ଦୁର୍ବୃତ୍ତ ଜାଳି ଦେଇଥିଲେ। ହେଲେ ସରକାର ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି।ଉଭୟ ପୀଡିତାଙ୍କ ପରିବାରକୁ ସମାଜବାଦୀ ପାର୍ଟି ପକ୍ଷରୁ 5-5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ନ୍ୟାୟ ଦେବାକୁ ଯଥାସମ୍ଭବ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।