ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେ ଶିଖ ବିରୋଧୀ ଦଙ୍ଗା ମାମଲାରେ ମଣ୍ଡୋଲି ଜେଲରେ ଦଣ୍ଡାଦେଶ ଭୋଗୁଥିଲେ । ସେ ପାଲମରୁ ବିଧାୟକ ଥିଲେ ।
1984 ଶିଖ ବିରୋଧୀ ଦଙ୍ଗା ମାମଲାରେ ମହେନ୍ଦ୍ର ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ 10 ବର୍ଷର ଜେଲଦଣ୍ଡାଦେଶ ହୋଇଥିଲା । ଗତ 2 ବର୍ଷରୁ ସେ ମଣ୍ଡୋଲୀ ଜେଲରେ ଥିଲେ । କିଛି ଦିନ ପୂର୍ବରୁ ସେ କୋରୋନାରେ ସଂକ୍ରମିତ ହୋଇଥିଲେ । ଯାଦବଙ୍କ ସ୍ବାସ୍ଥ୍ୟଅବସ୍ଥା ବିଗିଡିବାରୁ ତାଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ହେବାରୁ ତାଙ୍କୁ 2 ଦିନ ତଳେ ଆକାଶ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀରେ କୋରୋନାର ପ୍ରକୋପ ଲଗାତାର ବଢିବାରେ ଲାଗିଛି । ପ୍ରଦେଶରେ ସଂକ୍ରମଣ ମାମଲା 1 ଲକ୍ଷକୁ ପହଞ୍ଚିବାକୁ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 3 ହଜାରରୁ ଉର୍ଦ୍ଧ୍ବ କୋରୋନାରେ ପ୍ରାଣ ହରାଇଛନ୍ତି ।