ନୂଆଦିଲ୍ଲୀ: ଗତକାଲି ମଧ୍ୟ ରାତ୍ରୀରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ନିଧନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦେଶବାସୀ । ଏହି ଆଇରନ ଲେଡି ଯେ ଏତେ ଶିଘ୍ର ଆରପାରିକୁ ଚାଲିଯିବେ ତାହା ସମସ୍ତଙ୍କର କଳ୍ପନା ବାହାରେ ଥିଲା । ଜଣେ ସଫଳ ରାଜନେତ୍ରୀ ସହ ଦକ୍ଷ ବକ୍ତା ଭାବେ ସୁଷମା ବେଶ ଜଣାଶୁଣା । ତେବେ ଅସୁସ୍ଥତା କାରଣରୁ ଗତ ଲୋକସଭା ନିର୍ବାଚନ ଲଢିନଥିଲେ ସୁଷମା । ପରେ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ ହେବେ ନାହିଁ ବୋଲି କହିଥିଲେ । ନିର୍ବାଚନର କିଛିଦିନ ପରେ ସୁଷମା ସରକାରୀ ବଙ୍ଗଳା ଛାଡି ଦେଇ ନିଜସ୍ବ ଘରକୁ ଚାଲିଯାଇଥିଲେ ଯାହା ତାଙ୍କ ଭାବମୂର୍ତ୍ତୀକୁ ଆହୁରି ଉଚ୍ଚକୁ ନେଇ ଯାଇଥିଲା ।
ତେବେ ଧାରା 370ଓ 35(କ) ଉଛେଦ ହେବା ପରେ ସୁଷମା ବହୁତ ଖୁସୀ ଥିଲେ । ଯାହା ତାଙ୍କ ବିୟୋଗର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ କରିଥିବା ଟ୍ବିଟରୁ ସ୍ପଷ୍ଟ ହେଉଛି । ତେବେ ସୁଷମା ଗତକାଲି ପୁରାପୁରି ସ୍ବାଭାବିକ ଥିଲେ । ନିଜର ସମସ୍ତ ଦୈନନ୍ଦିନ କାର୍ଯ୍ୟ କରିବା ସହ କିଛି ଦଳୀୟ ନେତାଙ୍କ ସହ କଥା ହେଇଥିଲେ । କିଛି ନେତା ତାଙ୍କୁ ସାକ୍ଷାତ ପାଇଁ ମଧ୍ୟ ଅନୁରୋଧ କରିଥିଲେ କିନ୍ତୁ ସୁଷମା ନିଜ ନୂଆ ଘରେ ଆବଶ୍ୟକ ବ୍ୟବସ୍ଥା ହୋଇନଥିବାରୁ କିଛିଦିନ ପରେ ସାକ୍ଷାତ ପାଇଁ କହିଥିଲେ । ପରେ ସୁଷମା ଟିଭି ଦେଖିବା ସହ କିଛି ସମୟ ଏକୁଟିଆ ବିତାଇଥିଲେ ।
ଏହାପରେ ସୁଷମା ପ୍ରସିଦ୍ଧ ଆଇନଜୀବି ହରିଶ ସାଲେଭଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ । ହରିଶ କହିଛନ୍ତି ମଙ୍ଗବାର ରାତି 8ଟା 30 ବେଳକୁ ଫୋନ କରିଥିଲେ । ହରିଶ କହିଛନ୍ତି ସୁଷମା କହିଲେ ମୋତେ ଆସି ଦେଖାକର ଆଉ କୂଳଭୁଷଣ ମାମଲାରେ ନିଜ ଫି ତାଙ୍କ ଠାରୁ ନେବା ପାଇଁ କହିଥିଲେ । ହେଲେ ତାଙ୍କ ବକ୍ତବ୍ୟ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଓ ସେ ଆଜି ଆମକୁ ଛାଡିଯିବେ ବୋଲି ମୋ କଳ୍ପନା ବାହାରେ ଥିଲା ବୋଲି କହିଛନ୍ତି ହରିଶ।