ନୂଆଦିଲ୍ଲୀ: ଅଗଷ୍ଟ 6 ମଧ୍ୟରାତ୍ରୀରେ ଇହଧାମ ତ୍ୟାଗ କରିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଆଜି ହେବ ଶେଷକୃତ ସଂପନ୍ନ ।
ବିଜେପି କାର୍ଯ୍ୟକାରୀ ସଭାପତି ଜ୍ଜଗତ ପ୍ରକାଶ ନଡ୍ଡାଙ୍କ ସୂଚନା ମୁତାବକ ଦିଲ୍ଲୀ ଜନ୍ତର ମନ୍ତରସ୍ଥିତ ସୁଷମାଙ୍କ ବାସଭବନରେ ସକାଳ 8ଟା 30ରୁ ଦିନ 10ଟା 30 ପର୍ଯ୍ୟନ୍ତ ବନ୍ଧୁ ପରିଜନଙ୍କ ଶେଷ ଦର୍ଶନ ପାଇଁ ସୁଷମାଙ୍କ ପାର୍ଥୀବ ଶରୀର ରଖାଯିବ । ଏହାପରେ ପାର୍ଥୀବ ଶରୀରକୁ ବିଜେପି ମୁଖ୍ୟାଳୟକୁ ନିଆଯିବ । ସେଠାରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଦିନ 11ଟା 30ରୁ ଅପରାହ୍ନ 2ଟା 30 ପର୍ଯ୍ୟନ୍ତ ରଖାଯିବ । ପରେ ଆରମ୍ଭ ହେବ ସୁଷମାଙ୍କ ଅନ୍ତିମ ଶୋଭାଯାତ୍ରା ।
ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ବିହାର, ୟୁପି, ହରିୟାଣ ସମେତ ଦେଶର ବିଭିନ୍ନ ସ୍ଥାନରୁ ସୁଷମାଙ୍କ ଶୁଭେଛୁ ଆସିବାରେ ଲାଗିଛନ୍ତି । ପରେ ପରିବାର ବର୍ଗଙ୍କ ନିଷ୍ପତ୍ତି ଅନୁସାରେ ଦିଲ୍ଲୀ ଲୋଧୀ ରୋଡସ୍ଥିତ ଶବଦାହ ଗୃହରେ ବିଦ୍ୟୁତ ଚୁଲାରେ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ସୁଷମାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ସମ୍ମାନ ଦିଆଯିବ ।