ଗୌହାଟୀ: ଆସାମର ବନ୍ୟା ପରିସ୍ଥିତିରେ ଆସୁଛି ସୁଧାର । 13 ଜିଲ୍ଲାର 2ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 39ରେ ପହଞ୍ଚିଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସୂଚନା ଦେଇଛନ୍ତି । ବନ୍ୟାରେ 39 ଓ ଭୂସ୍ଖଳନରେ 24 ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ 63 ଛୁଇଁଛି । ସୋମବାର ଦିନ 15 ଟି ଜିଲ୍ଲାର ପ୍ରାୟ ଚାରି ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଥିଲା । କୋକରାଝର, ଧୁବ୍ରି ଏବଂ କାମ୍ରୁପରୁ ବନ୍ୟା ଜଳ ନିଷ୍କାସିତ ହୋଇଥିବା ବେଳେ ଆଉ 12 ଟି ଜିଲ୍ଲା ଏବେବି ପାଣି ଘେରରେ ରହିଛି ।
ସେପଟେ, 19,886 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବରପେଟା ଜିଲ୍ଲାର 1.95ଲକ୍ଷ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି । 5ଟି ଜିଲ୍ଲାରେ 33 ଟି ରିଲିଫ କେନ୍ଦ୍ର ଖୋଲାଯାଇଛି । 1673 ଲୋକେ ବନ୍ୟା ଆ।ଶ୍ରୟସ୍ଥଳରେ ରହିଛନ୍ତି । ସେମାନଙ୍କୁ ଚାଉଳ, ଡାଲି, ଲୁଣ ଏବଂ ସୋରିଷ ତେଲ, ପଲିଥିନ ,ମହମବତୀ ଓ ଅତ୍ୟାବଶ୍ୟର ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଜୋରହାଟ ଏବଂ ଧୁବ୍ରି ସହରରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ, ଧିମାଜି, ବରପେଟ, କୋକରାଝର ଓ ଚାରାଇଡିଓ ଜିଲ୍ଲାରେ ରାସ୍ତା ଓ କଲଭଟ ଧୋଇ ହୋଇଯାଇଛି ।