ହାଇଦ୍ରାବାଦ: କୋଡ଼ିଏ ବର୍ଷ ପୂର୍ବେ ଭାରତ ସରକାର ‘ସର୍ବ ଶିକ୍ଷା ଅଭିଯାନ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଲେ । ଲକ୍ଷ୍ୟ ଥିଲା ଦେଶର ସବୁ ପିଲାଙ୍କୁ ସ୍କୁଲ୍ ଶିକ୍ଷାରେ ସାମିଲ୍ କରାଇବା । ସେତେବେଳେ ପ୍ରତି ୫ ଜଣରେ ଜଣେ ପିଲା ସ୍କୁଲ୍ଠାରୁ ଦୂରରେ ରହୁଥିଲା । ଏବେ ସେ ଅବସ୍ଥା ବଦଳି ଯାଇଛି । ପାଖାପାଖି ୯୯ ପ୍ରତିଶତ ପିଲା ଏବେ ସ୍କୁଲ୍ରେ ନାଁ ଲେଖାଉଛନ୍ତି । ଦେଶରେ ଭଲ ଶିକ୍ଷା ପ୍ରସାର କରିବା ଦିଗରେ ଏହା ଏକ ଭଲ ପଦକ୍ଷେପ, କିନ୍ତୁ ଉଦ୍ବେଗର ବିଷୟ ଏହା ଯେ, ଆମେ ଯାହା ଆଶା କରୁଥିଲୁ, ଯେଉଁ ଗୁଣାତ୍ମକ ମାନର ପାଠ ଶିଶୁ ପାଇବେ ବୋଲି ସ୍ଵପ୍ନ ଥିଲା ବା ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ଯାହା ଆଶା କରୁଥିଲୁ ତାହା ହେଲା ନାହିଁ।
ଆମେ ସମସ୍ତେ ଏହା ଭଲ ଭାବେ ଜାଣିଛୁ ଯେ, ଯଦି ପିଲାବେଳେ ଆମକୁ ଉଚିତ ଶିକ୍ଷା ନମିଳିବ, ତେବେ ତାହା ଆମକୁ ଭବିଷ୍ୟତର ପାଠକୁ ଗ୍ରହଣ କରିବା ପଥରେ ପ୍ରତିବନ୍ଧକ ସାଜିବ। ଏହାଛଡ଼ା ପିଲାଙ୍କୁ ଅଧାରୁ ସ୍କୁଲ୍ ଛାଡ଼ିବା ବା ଦେଶରେ ଡ୍ରପ୍ଆଉଟ୍ ସଂଖ୍ୟାକୁ ବଢ଼ାଇବାରେ ଏପରି ଆଭିମୁଖ୍ୟ ବିହୀନ ଶିକ୍ଷା ମୁଖ୍ୟ କାରଣ ସାଜିଥାଏ । କାରଣ ସେମାନେ ପାଠ ବୁଝିପାରନ୍ତି ନାହିଁ ଆଉ ସେଥିଲାଗି ସ୍କୁଲ୍ ଯିବାକୁ ପସନ୍ଦ କରନ୍ତି ନାହିଁ ବା ଭୟ କରନ୍ତି । ଏଭଳି ଏକ ସ୍ଥିତିରୁ ମୁକୁଳିବା ତଥା ଦେଶର ଶିକ୍ଷା କାର୍ଯ୍ୟକ୍ରମକୁ ଏକ ନୂଆ ଦିଶା ଦେବା ଲାଗି ପ୍ରସ୍ତୁତ ହୋଇଛି ଜାତୀୟ ଶିକ୍ଷାନୀତି। ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ପରାମର୍ଶ ତଥା ବିଭିନ୍ନ ସର୍ବେକ୍ଷଣକୁ ଆଧାର କରି ଏହି ନୀତି ପ୍ରସ୍ତୁତ ହୋଇଛି, ଯାହା ଖୁବଶୀଘ୍ର ସଂସଦରେ ଉପସ୍ଥାପନ ହେବା ସମ୍ଭାବନା ରହିଛି।
ବିଗତ ତିରିଶ ବର୍ଷ ଭିତରେ ଏହି ଡ୍ରାଫ୍ଟ ନୀତି ମାଧ୍ୟମରେ ପ୍ରଥମଥର ପାଇଁ ଜାତୀୟ ଶିକ୍ଷାନୀତିରେ ଯେଉଁ ସଂଶୋଧନ ପାଇଁ ଉଦ୍ୟମ କରାଯାଇଛି ତାହା ଏକ ସମୟୋପଯୋଗୀ ପଦକ୍ଷେପ । ଏଥିରେ ଦର୍ଶାଯାଇଛି- ଆମେ ଏବେ ପାଠପଢ଼ାରେ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛୁ ତାହାର ମୁଖ୍ୟ କାରଣ ହେଉଛି ଅନୁପଯୁକ୍ତ ଶୈଶବ ସମୟର ଶିକ୍ଷା ଏବଂ ପାଠପଢ଼ାର ଭିତ୍ତିଭୂମି । ଏହି ନୀତି ୨୦୨୫ ସୁଦ୍ଧା ସବୁ ପିଲାଙ୍କ ପାଇଁ ମୁଳଦୂଆ ବା ପ୍ରାରମ୍ଭିକ ଶିକ୍ଷା ଏବଂ ଶୈଶବ ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ଦିଏ । ଏଥିଲାଗି ପ୍ରାଥମିକ ଶିକ୍ଷାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଇଁ ସର୍ବାଧିକ ପ୍ରାଥମିକତା ଦେବା ଲାଗି ଏହି ନୀତି ସରକାରଙ୍କୁ ଆହ୍ବାନ ଦେଇଛି। ଅର୍ଥାତ୍ ଯଦି ପିଲାଙ୍କ ପାଠପଢ଼ାର ମୂଳଦୁଆ ଶକ୍ତ ନାହିଁ ଶିକ୍ଷା ନୀତିର ଅନ୍ୟ କୌଣସି ଅଙ୍ଗ ଲକ୍ଷ୍ୟ ହାସଲରେ ସୁଫଳ ଦେବ ନାହିଁ ବରଂ ଶିକ୍ଷା ବ୍ୟବସ୍ଥା ପାଇଁ ତାହା ଅନାବଶ୍ୟକ ହୋଇପଡ଼ିବ।
ମୁଳଦୂଆ ଶିକ୍ଷାକୁ ଶକ୍ତ କରିବା ଦିଗରେ ଡ୍ରାଫ୍ଟ ଶିକ୍ଷାନୀତିର ଆଭିମୁଖ୍ୟ ବାସ୍ତବରେ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ନିର୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଉତ୍ସାହିତ କରୁଛି। କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶାବଳୀ ଅନୁସାରେ ରାଜ୍ୟମାନେ ନିଜ ନିଜର ଆବଶ୍ୟକ ମୂଳଦୁଆ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦରକାର । ଏହାଦ୍ଵାରା ପିଲାମାନଙ୍କ ପାଠପଢ଼ାର ଭିତ୍ତିଭୂମି ଶକ୍ତ ହେବ ଏବଂ ସେମାନେ ବଡ଼ ହେଲେ ଶିକ୍ଷା ପ୍ରତି ଆକର୍ଷିତ ହୋଇପାରିବେ। ଏଣୁ କେନ୍ଦ୍ର କସଦରାର ଏହି ଡ୍ରାଫ୍ଟ ନୀତିକୁ ଆବଶ୍ୟକ ବିଧେୟକ ମାଧ୍ୟମରେ ସଂସଦରେ ଉପସ୍ଥାପନ କରିବା ଉଚିତ। ଫଳରେ ଏହା ଆଇନରେ ପରିଣତ ହେବ ଏବଂ ଦେଶରେ ଗୁଣାତ୍ମକ ଶିକ୍ଷାର ବିକାଶରେ ସହାୟକ ହେବ । ଏଥିଲାଗି ଏକ ସମୟ ଲକ୍ଷ୍ୟ ନିର୍ଦ୍ଧାରଣ ହେବା ଦରକାର। ଏହି ସମୟ ଭିତରେ ଶିକ୍ଷା ନୀତିକୁ ପ୍ରଣୟନ କରିବାରେ ସ୍ଵାଚ୍ଛାନ୍ଦ୍ୟ ସହ ରାଜ୍ୟମାନଙ୍କୁ ଆବଶ୍ୟକ ପାଣ୍ଠି ଯୋଗାଣ କରାଯିବା ଦରକାର। ଏମିତି ରଣନୀତି ପ୍ରସାର କରିବା ଆବଶ୍ୟକ, ଯାହାଦ୍ଵାରା ମୁଳଦୂଆ ଶିକ୍ଷା ସାର୍ବଜନୀନ ହୋଇପାରିବ । ସେମାନେ ଆବଶ୍ୟକ ଅନୁସାରେ ଲେଖିବା, କହିବା ଏବଂ ପଢ଼ିବାରେ ସକ୍ଷମ ହୋଇପାରିବେ।
ପ୍ରଥମତଃ ସବୁ ସ୍କୁଲ୍ ପିଲା ତୃତୀୟ ଶ୍ରେଣୀରେ ପହଞ୍ଚିଲା ବେଳକୁ ପ୍ରାଞ୍ଜଳ ଭାବେ ବହି ପଢ଼ିପାରୁଥିବା ଆବଶ୍ୟକ, କାରଣ ଏହା ହେଉଛି ଆମ ଜୀବନରେ ଆଗକୁ ଆବଶ୍ୟକ ପାଠ ପଢ଼ା ପାଇଁ ମୁଳଦୂଆ ପକାଇଥାଏ। ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ‘ଶିକ୍ଷା କୀ ଏବିସି’ ନାମରେ ଏକ ଅଭିଯାନ ଅଭିଭାବକ ଏବଂ ବାପା ମା’ଙ୍କୁ ସେମାନଙ୍କ ପିଲାମାନେ ଯେମିତି ତୃତୀୟ ଶ୍ରେଣୀରେ ବହି ପ୍ରାଞ୍ଜଳ ଭାବେ ପଢ଼ିପାରୁଥିବେ ସେଥିଲାଗି ଯତ୍ନବାନ ହେବାକୁ ଆହ୍ବାନ ଦେଇଛି ।
ବ୍ୟବସ୍ଥିତ ଅଭ୍ୟୁଦୟ ଲକ୍ଷ୍ୟରେ ବିଶିଷ୍ଟ ଶିକ୍ଷାବିତ୍ଙ୍କ ଦ୍ଵାରା ପ୍ରଦତ୍ତ ପାଠ୍ୟକ୍ରମକୁ ଏକାଠି କରି ମୂଳଦୁଆ ଶିକ୍ଷା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବା ଆବଶ୍ୟକ। ପୁଣି ଏହି କାର୍ଯ୍ୟକ୍ରମର ଅବଦାନକୁ ପ୍ରତିଟି ସୋପାନରେ ନିୟମିତ ଭାବେ ମୂଲ୍ୟାଙ୍କନ କରାଯିବା ଉଚିତ । ଏଥିନେଇ ଭରସାଯୋଗ୍ୟ, ପରିମାପକ ଏବଂ ତୁଳନାତ୍ମକ ତଥ୍ୟ ଉପଲବ୍ଧ ହେବା ଦରକାର ଯାହାକୁ ନିୟମିତ ଭାବେ ବ୍ୟବସ୍ଥାର ଯାଞ୍ଚ ପାଇଁ ବ୍ୟବହହୃତ ହୋଇପାରିବ। ଏହିସବୁ ତଥ୍ୟକୁ ନେଇ ନୀତି, ନିର୍ଦ୍ଧାରଣ, ବଜେଟ୍ ଏବଂ ଅଂଶୀଦାର ଯେମିତି ଶିକ୍ଷକ, ଛାତ୍ର, ସ୍କୁଲ୍ ପ୍ରଶାସନ ଏବଂ ଅଭିଭାବକ ପ୍ରଭୃତି ବାବଦରେ ବିଶ୍ଳେଷଣ କରାଯିବା ଦରାକର।
ଏହିପରି ଗୁଣାତ୍ମକ ଶିକ୍ଷାର ଅଭାବ ପ୍ରକୃତରେ ସମାଜର ଅବହେଳିତ ବର୍ଗଙ୍କୁ ଅଧିକ ପ୍ରଭାବିତ କରିଥାଏ, କାରଣ ସେମାନେ ପରବର୍ତ୍ତୀ ସମୟରେ ସେହି ଅଭାବକୁ ପୂରଣ କରିପାରିନ୍ତି ନାହିଁ। ଅନ୍ୟପଟେ ଦେଖିବାକୁ ଗଲେ ଭାରତର ୬୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବସତିସ୍ଥାପନ କରିଥାଆନ୍ତି, ଯେଉଁଠାରେ ଏହି ଗୁଣାତ୍ମକ ଶିକ୍ଷାର ଯଥେଷ୍ଟ ଅଭାବ ପରିଲକ୍ଷିତ ହୋଇଥାଏ। ସେହିପରି ଏହି ପ୍ରଚଳିତ ବ୍ୟବସ୍ଥାର ମୂଲ୍ୟାଙ୍କନ ପାଇଁ ଆବଶ୍ୟକ ସୂଚକାଙ୍କ ନିର୍ଦ୍ଧାରଣ, ଯେମିତି ଶିକ୍ଷକ, ପ୍ରଧାନଶିକ୍ଷକ, ମଧ୍ୟବର୍ତ୍ତୀ ପରିଚାଳନା ଏବଂ ଜିଲ୍ଲା ଓ ରାଜ୍ୟ ସ୍ତରର ଅଧିକାରୀମାନଙ୍କ ଦାୟିତ୍ଵ ତଥା ଲକ୍ଷ୍ୟ କ’ଣ ରହିବ ତାହା ନିର୍ଦ୍ଧାରଣ କରାଯାଇ ନଥାଏ। ଏଣୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ଆମ ପାଖରେ ଦକ୍ଷତା ଅଭାବ ପରିଲକ୍ଷିତ ହୋଇଥାଏ। ସେହିପରି ଆମେ ଏକାଧିକ ସ୍ତରରେ ନିବେଶ କରିବା ପାଇଁ ଆମ ପାଖରେ ଆବଶ୍ୟକ ସମ୍ବଳ ମିଳେ ନାହିଁ। ସେଥିଲାଗି ଗୁଣାତ୍ମକ ଶିକ୍ଷା ଆମ ପାଇଁ ଏକ ଆହ୍ବାନ ହୋଇ ଠିଆ ହୁଏ । ଆମ ସ୍କୁଲ୍ ଗୁଡ଼ିକରେ ଆପଣାଯାଇଥିବା ପାଠ୍ୟକ୍ରମସବୁ ଛାତ୍ରଙ୍କ ଗ୍ରହଣ କରିବାର କ୍ଷମତାକୁ ମେଳ ଖାଏ ନାହିଁ। ଏପରି ଏକ ଅବସ୍ଥାରେ ଆମକୁ ପିଲାଙ୍କ ମନରେ ଆଗ୍ରହ ଓ ପ୍ରଶ୍ନ ପଚାରିବାର ଆତ୍ମବଳ ସୃଷ୍ଟି କରିବାକୁ ହେବ।
ଜାତୀୟ ଶିକ୍ଷାନୀତି ଏ ଦିଗରେ ଚେଷ୍ଟା କରିଛି। ୨୦୨୫ ସୁଦ୍ଧା ତିନିରୁ ୬ ବର୍ଷର ଶିଶୁ କିପରି ଗୁଣାତ୍ମକ ଶିକ୍ଷା ପାଇବେ ସେଥିନେଇ ଗୁରୁତ୍ଵ ପ୍ରଦାନ କରିଛି। ଏହା ପ୍ରତି ରାଜ୍ୟ ତଥା ଜିଲ୍ଲାର ଆବଶ୍ୟକତାକୁ ଲକ୍ଷ୍ୟ କରି ଏକ ସମ୍ପୂଣ୍ଣ ଶ୍ରେଣୀଗୃହ ଶିକ୍ଷା ପ୍ୟାକେଜ୍ ସୃଷ୍ଟି ସହ ଶିକ୍ଷାଦାନ ପ୍ରଣାଳୀ, ଛାତ୍ର ଓ ଶିକ୍ଷକଙ୍କ ଲାଗି ଆବଶ୍ୟକ ସାମଗ୍ରୀ ଉପଲବ୍ଧ, ପରୀକ୍ଷା, କଣ୍ଟେଣ୍ଟ ତିଆରି ଓ ପ୍ରଦାନରେ ତାଲିମ ଏବଂ ଶିକ୍ଷକ ସହାୟତା ଦ୍ଵାରା ସମ୍ଭବ ହୋଇପାରିବ।
ବିଶ୍ଵ ନେତୃତ୍ଵ ନେବା ପାଇଁ ଭାରତ ଯେଉଁ ସ୍ଵପ୍ନ ଦେଖୁଛି, ସେଥିରେ ପ୍ରାଥମିକ ଶିକ୍ଷା ଏକ ଗୁରୁତ୍ଵପୂଣ୍ଣ ଭୂମିକା ନିର୍ବାହ କରେ । ଏହାର ବିକାଶ ଲାଗି ଜାତୀୟ ଶିକ୍ଷା ନୀତି ଯଥେଷ୍ଟ ଯତ୍ନବାନ ରହିଛି । ମୁଳଦୁଆ ଶିକ୍ଷାକୁ ଉନ୍ନତ ଆୟ, ସ୍ଵାସ୍ଥ୍ୟ, ପରିମଳ, ନିରାପତ୍ତା ଭଳି ବିଷୟ ପ୍ରତି ଏହା ଉନ୍ମୁକ୍ତ ହୋଇଛି । କଥାରେ ଅଛି ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ। ଏଣୁ ପିଲାଙ୍କ ମୂଳଦୁଆ ଶକ୍ତ କରିବା ଲାଗି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ନିବେଶକୁ ଭାରତର ସବୁଠାରୁ ଉତ୍ତମ ନିବେଶ ଭାବେ ଗଣାଯାଇପାରେ। ପୁଣି ଏହି ନିବେଶ ପାଇଁ ଆବଶ୍ୟକ ହେଉଛି ଜାତୀୟସ୍ତରରେ ରାଜନୀତିକ ଇଚ୍ଛାଶକ୍ତି। ଏହାସହ ଜନସାଧାରଣଙ୍କ କ୍ରିୟାଶୀଳ ଭାଗିଦାରୀ ତଥା ଅଂଶଗ୍ରହଣ ଦ୍ଵାରା ଆମେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଏହା ସୁଫଳ ପାଇବା ସହଜ ହେବ। ଏଣୁ ସ୍କୁଲ୍ରେ ପିଲାଙ୍କ ନାଁ ଲେଖା ବୃଦ୍ଧି, ଶ୍ରେଣୀଗୃହରେ ପାଠ୍ୟକ୍ରମ ସାରିବା ତଥା କେତେ ପିଲା ପାସ୍ କଲେ ତାହାକୁ ଗୁଣାତ୍ମକ ଶିକ୍ଷାର ମାପ କାଠି ଭାବେ ବିଚାର କରିବା ଅନୁଚିତ । ଏହାଦ୍ଵାରା ପିଲାଙ୍କ ଭବିଷ୍ୟତକୁ ବନ୍ଧା ପକାଇ ଆମେ ଏଭଳି କାରକଙ୍କ ପ୍ରତି ବିଶେଷ ଦୃଷ୍ଟି ଦେଉଥିବା ପରିଲକ୍ଷିତ ହୋଇଛି।
ସର୍ବଶେଷରେ ଏବେ ଯେଉଁମାନେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ସେମାନେ ଦେଶର ଅର୍ଥନୀତିକ ବ୍ୟବସ୍ଥାରେ ଆଉ କିଛିଦିନ ପରେ ମୂଳ ଅଙ୍ଗ ଭାବେ ନିଜକୁ ନିୟୋଜିତ କରିବେ। ଏଣୁ ଏହି ବିଶାଳ ଜନ ସଂଖ୍ୟାରୁ ଆମକୁ ଭଲ ଅର୍ଥନୀତି ଅମଳ କରିବାକୁ ହେଲେ ତାଙ୍କର ଶିକ୍ଷା ମୁଳଦୁଆକୁ ଶକ୍ତ କରିବାକୁ ହେବ।
ସଦ୍ୟ ପ୍ରକାଶିତ ବିଶ୍ଵବ୍ୟାଙ୍କ ରିପୋର୍ଟ ଅନୁସାରେ, ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକର ୫୩ ପ୍ରତିଶତ ଶିଶୁ ଶିକ୍ଷାଗତ ଦାରିଦ୍ର୍ୟରେ ପ୍ରଭାବିତ ହୋଇଥାଆନ୍ତି। ଏପରିକି ୧୦ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ସେମାନେ ଠିକ୍ ଭାବେ ବିଷୟ ପଢ଼ିବା ବା ବୁଝିବାରେ ଅକ୍ଷମ ହୋଇଥାଆନ୍ତି। ଏହି ପ୍ରକାର ଏକ ଅବ୍ୟବସ୍ଥିତ ପରିବେଶରେ ଶିଶୁଙ୍କ ବିକାଶ ଲାଗି ବିଶ୍ଵବ୍ୟାଙ୍କ ଆସନ୍ତା ଦଶନ୍ଧିରେ ପିଲାଙ୍କ ଶିକ୍ଷାଗତ ଦାରିଦ୍ର୍ୟତାକୁ ଅଧା କମାଇବା ଲକ୍ଷ୍ୟ ରଖିଛନ୍ତି। ଏହା ଭାରତ ପାଇଁ ମଧ୍ୟ ଉପଯୋଗୀ । ଦେଶର ନୂଆ ଡ୍ରାଫ୍ଟ ଶିକ୍ଷା ନୀତି ଏଦିଗରେ ଆମ ଲକ୍ଷ ହାସଲ ଲାଗି ଠିକଣା ରାସ୍ତା ଦେଖାଇପାରିବ।