ପନ୍ଦର ବର୍ଷ ତଳେ, 2005 ଅକ୍ଟୋବର 12 ତାରିଖ ଦିନ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା । ସେଦିନ ଥିଲା ବିଜୟା ଦଶମୀ ଏବଂ ଏହି ଶୁଭ ଦିନରେ ବିବର୍ତ୍ତନର ଏକ ନୂତନ ଧାରାକୁ ଭାରତୀୟ ଗଣତନ୍ତ୍ର ବାଟ କଢ଼ାଇ ନେବାପରି ମନେ ହୋଇଥିଲା । ଏହି ଆଇନ ପ୍ରଣୟନ ସପକ୍ଷରେ ଯେଉଁମାନେ ମତପ୍ରକାଶ କରିଆସୁଥିଲେ, ସେମାନେ ଭାରତର ତ୍ରୁଟିପୂର୍ଣ୍ଣ ନିର୍ବାଚନ ଭିତ୍ତିକ ଗଣତନ୍ତ୍ର, ସବୁ ବର୍ଗର ଅଂଶଗ୍ରହଣ ସହିତ ଏକ ବାସ୍ତବଧର୍ମୀ ଗଣତନ୍ତ୍ରରେ ରୂପାନ୍ତରିତ ହେବାର ସୁଯୋଗ ଭାବରେ ଏହାକୁ ଗ୍ରହଣ କଲେ: ଏହା ଥିଲା ସେହି ସ୍ବରାଜ, ଯାହା ଏ ଦେଶର ପ୍ରକୃତ ଶାସକମାନଙ୍କୁ ଅର୍ଥାତ୍, ନାଗରିକମାନଙ୍କୁ ପ୍ରଦାନ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା ।
1990 ଦଶକର ପ୍ରାରମ୍ଭିକ ଭାବରେ ଅରୁଣା ରୟଙ୍କ ନେତୃତ୍ବରେ, ଦିନେ ରାଜସ୍ଥାନର ଦେବଡୁଙ୍ଗୁରି ଗାଁରୁ ଆରମ୍ଭ ହୋଇଥିବା ସୂଚନା ଅଧିକାଇ ଆନ୍ଦୋଳନ, ବିଶ୍ବର ଏକ ସର୍ବୋତ୍ତମ ଓ ସ୍ବଚ୍ଛ ଆଇନରେ ପରିଣତ ହୋଇଥିଲା । 1975 ମସିହା ପରଠାରୁ ବିଭିନ୍ନ ସମୟରେ ସୁପ୍ରିମ କୋର୍ଟଙ୍କ ରାୟରେ ଏହା ସ୍ବୀକାର କରାଯାଇଥିଲା ଯେ ଭାରତୀୟ ସମ୍ବିଧାନର 19 (1) (କ) ଧାରାରେ ପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର, ପ୍ରକାଶନ ଅଧିକାର ଏବଂ ସୂଚନା ପାଇବାର ଅଧିକାର ଏକ ମୌଳିକ ଅଧିକାର । ହେଲେ, ପ୍ରଥମ ଦୁଇଟି ଅଧିକାରକୁ ସ୍ବୀକୃତି ପ୍ରଦାନ ସହିତ ବର୍ଷକୁ ବର୍ଷ ସେମାନଙ୍କର କାର୍ଯ୍ୟକାରିତା ପରିସର ବୃଦ୍ଧି ପାଉଥିବା ବେଳେ ସମସ୍ତ ନାଗରିକଙ୍କୁ ସୂଚନା ଉପଲବ୍ଧ କରାଇବା ଲାଗି ଏକ ଉପଯୁକ୍ତ ପ୍ରକ୍ରିୟା ଅଭାବରୁ ସୂଚନା ଅଧିକାର ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । 2005ର ସୂଚନା ଅଧିକାର ଆଇନ ଏହି ଅଧିକାରକୁ ମଧ୍ୟ ନୀତିବଦ୍ଧ କରିଥିଲା ।
ଏହାର ଚିଠା ଆଇନରେ ବିଭିନ୍ନ ସୂଚନା ଅଧିକାର କର୍ମୀଙ୍କ ମତାମତ ସମ୍ବଳିତ ତଥ୍ୟକୁ ସାମିଲ କରାଯାଇ ସୁନିୟୋଜିତ ଢଙ୍ଗରେ ଆଇନ ପ୍ରକ୍ରିୟାର ବିନ୍ୟାସ କରାଯାଇଥିଲା । ଏହି ଆଇନର ମୁଖବନ୍ଧରେ କୁହାଯାଇଥିଲା ଯେ ଗଣତନ୍ତ୍ରର କାର୍ଯ୍ୟକାରିତା ପାଇଁ କାର୍ଯ୍ୟଶୈଳୀରେ ପାରଦର୍ଶିତା ଆବଶ୍ୟକ ଏବଂ ଦୁର୍ନୀତିକୁ ନିୟନ୍ତ୍ରିତ କରିବା ସହିତ ସରକାର ଉତ୍ତରଦାୟୀ ହେବା ଆବଶ୍ୟକ । ଏହାକୁ ସ୍ବୀକାର କରିବା ପରେ କୁହାଯାଇପାରେ ଯେ, ହୁଏତ ଏହା ହାସଲ କରିବା କ୍ଷେତ୍ରରେ କେତେକ ବ୍ୟାବହାରିକ ଅବରୋଧର ଆଭାସ ରହିଥାଇପାରେ, କିନ୍ତୁ ସମସ୍ତ ପ୍ରକାର ସ୍ବାର୍ଥ ବିଜଡ଼ିତ ଦ୍ବନ୍ଦ୍ବର ସମାଧାନ କରିବା ସହିତ ଭାରତକୁ ସାରା ବିଶ୍ବର ଏକ ସର୍ବୋତ୍ତମ ପାରଦର୍ଶୀ ଆଇନ ପ୍ରଦାନ କରିବାରେ ଏହା ସମର୍ଥ ହେଲା ।
ଏହି ସଶକ୍ତ ଆଇନ ପ୍ରଣୟନ ପରେ ନାଗରିକମାନେ ଏହାକୁ ବ୍ୟାପକ କରାଇବା ଏବଂ ଅନ୍ୟମାନଙ୍କୁ ଏହି ଆଇନର ଉପଯୋଗ ଶିଖାଇବା ଆରମ୍ଭ କଲେ । ଆଇନର ପ୍ରଥମ ପାଞ୍ଚରୁ ସାତ ବର୍ଷ ମଧ୍ୟରେ ନାଗରିକମାନେ, ସେମାନଙ୍କ ଦ୍ବାରା ପ୍ରବର୍ତ୍ତିତ ହେବାରେ ସମର୍ଥ ଏହି ଆଇନର ସାମର୍ଥ୍ୟକୁ ହୃଦୟଙ୍ଗମ କରିପାରିଲେ । ସେମାନେ ହୃଦୟଙ୍ଗମ କଲେ ଯେ, ସେମାନେ ସରକାରଙ୍କ ପାଖରୁ ଉତ୍ତରଦାୟିତ୍ବ ହାସଲ କରିପାରିବେ ଏବଂ ସଜାଗ ଦୃଷ୍ଟିନିବଦ୍ଧ କରି ସରକାରୀ କାମର ତଦାରଖ କରିପାରିବେ । ଏହା ପରେ ପରେ ଅନେକ ଦୁର୍ନୀତି ପ୍ରକରଣ ଲୋକଲୋଚନକୁ ଆସିଥିଲା ଏବଂ ସରକାରୀ ଚାକିରିଆମାନେ, ନାଗରିକମାନଙ୍କୁ, ଅର୍ଥାତ୍ ଏ ଦେଶର ପ୍ରକୃତ ଶାସକମାନଙ୍କୁ, ସମ୍ମାନର ସହ ବ୍ୟବହାର କରିଥିଲେ । ନାଗରିକମାନେ ବ୍ୟକ୍ତିଗତ ଭାବରେ ସଶକ୍ତ ଅନୁଭବ କରିବା ଆରମ୍ଭ କଲେ । ନାଗରିକମାନଙ୍କୁ ଖାଉଟି କାର୍ଡ, ଖାଉଟି ସାମଗ୍ରୀ, ଆୟକରରୁ ଫେରସ୍ତ ଅର୍ଥ ଏବଂ ଅନ୍ୟ ଅନେକ ସେବା ପ୍ରଦାନ ଆରମ୍ଭ ହେଲା । ସର୍ବୋପରି, ନାଗରିକମାନେ ଉତ୍ତରଦାୟିତ୍ବ ହାସଲ କରିବା ଆରମ୍ଭ କଲେ । ସୂଚନା ପ୍ରଦାନରେ ଅବହେଳା କଲେ ଜୋରିମାନାର ଭୟ ଯୋଗୁଁ ସରକାରୀ ଚାକିରିଆମାନେ ସେମାନଙ୍କ କର୍ତ୍ତବ୍ୟ ସଂପାଦନ ପ୍ରତି ସମ୍ବେଦନଶୀଳ ହେଲେ । ଏହି ସରଳ ଆଇନର ଉପଯୋଗ ଓ କାର୍ଯ୍ୟକାରୀ କରିବା ସହଜ ଥିଲା । ଦେଶରେ ହଜାର ହଜାର ସୂଚନା ଅଧିକାର କର୍ମୀ ଅଛନ୍ତି, ଯେଉଁମାନେ ବିନା ପାଉଣାରେ ଏ ସଂପର୍କରେ ଶିକ୍ଷାଦାନ, ପ୍ରଶିକ୍ଷଣ ଦେଇ ଅନ୍ୟମାନଙ୍କର ସହାୟତା କରୁଛନ୍ତି ।
ଏହା ଫଳରେ ସାରା ଦେଶରେ ଲୋକେ ସୂଚନା ଅଧିକାର ଆଇନ ସଂପର୍କରେ ଜାଣିପାରିଛନ୍ତି ଏବଂ ଏହାର ଉପଯୋଗ କରୁଛନ୍ତି । ଗତ ପନ୍ଦର ବର୍ଷ ଭିତରେ, ସୂଚନା ଅଧିକାର ଆଇନ ବଳରେ ସାରା ଦେଶରେ କେତେ କୋଟି ଆବେଦନ ଦାଖଲ କରାଯାଇଛି । ତଥାପି, କ୍ଷମତାସୀନ ବ୍ୟକ୍ତିଙ୍କ ତରଫରୁ ସୂଚନା ଅଧିକାରର ବିରୋଧ ମଧ୍ୟ କରାଯାଉଛି । ଲୋକଦେଖାଣିଆ ଭାବେ ସମସ୍ତେ ସ୍ବଚ୍ଛତା ସପକ୍ଷରେ କହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ, କେବଳ ଅନ୍ୟମାନେ ସ୍ବଚ୍ଛ ରହିବା ଚାହୁଁଛନ୍ତି ଏବଂ ନିଜେ, ବାସ୍ତବ କ୍ଷେତ୍ରରେ ସ୍ବଚ୍ଛତା ପ୍ରଦର୍ଶନ ପ୍ରତି ଅନାଗ୍ରହ ଭାବ ପ୍ରଦର୍ଶନ କରୁଥିବା ଲକ୍ଷ୍ୟ କରାଯାଇଛି । ଦୁର୍ନୀତିଗ୍ରସ୍ତ ଲୋକେ ଏହାକୁ ନାପସନ୍ଦ କରିବାର ସ୍ପଷ୍ଟ କାରଣ ରହିଛି ଏବଂ ଅଧିକାଂଶ ସଚ୍ଚୋଟ ଲୋକେ, ନିଜ ଅହଂକାର କାରଣରୁ ଏହାକୁ ସେମାନଙ୍କ ବିଚାରବୁଦ୍ଧି ଏବଂ କାର୍ଯ୍ୟକ୍ଷମତା ଉପରେ ଅଯଥା ପ୍ରଶ୍ନଚିହ୍ନ ବୋଲି ମନେ କରୁଛନ୍ତି । ଯେହେତୁ ଶାସନର ଅଧିକାଂଶ କ୍ଷମତା କେନ୍ଦ୍ର ସୂଚନା ଅଧିକାଇ ଆଇନ ପରିସରଭୁକ୍ତ ହୋଇଛି, ଏହି ଆଇନ ପ୍ରତି ବିରୋଧ ଭାବ ନକାରାତ୍ମକ ଢଙ୍ଗରେ ଏହାର ବ୍ୟାଖ୍ୟାନର ରୂପ ନେଇଛି ।
2011ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ବନାମ ଆଦିତ୍ୟ ବନ୍ଦୋପାଧ୍ୟାୟ ମାମଲାରେ ସୁପ୍ରିମ କୋର୍ଟଙ୍କ ମତାମତରୁ ଏହାର ଅନ୍ୟତମ ପ୍ରଥମ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ସଂକେତ ମିଳିଥିଲା । ତାହା ହେଲା “(ସୂଚନା ଅଧିକାର) ଆଇନର ଦୁରୁପଯୋଗ ଏବଂ ଅପବ୍ୟବହାରକୁ ପ୍ରଶ୍ରୟ ଦେଇ ଏହାକୁ ଜାତୀୟ ବିକାଶ ଏବଂ ସଂହତି କ୍ଷେତ୍ରରେ ଅନ୍ତରାୟ ସଜେଇବା, କିମ୍ବା ନାଗରିକମାନଙ୍କ ମଧ୍ୟରେ ଶାନ୍ତି, ସ୍ଥିରତା ଏବଂ ସମଭାବାପନ୍ନତାକୁ ବିପନ୍ନ କରିବାକୁ ଅବସର ଦେବା ଉଚିତ ନୁହେଁ । ନିଜ ନିଜର କର୍ତ୍ତବ୍ୟ ସଂପାଦନ ପ୍ରତି ଆଗ୍ରହୀ ସଚ୍ଚୋଟ ଅଧିକାରୀମାନଙ୍କୁ ଚାପଗ୍ରସ୍ତ କିମ୍ବା ଭୟଭୀତ କରିବାର ଏକ ଅସ୍ତ୍ରରେ ଏହାକୁ ପରିଣତ କରିବା ମଧ୍ୟ ଉଚିତ ନୁହେଁ ।” ଏହି ଆଇନ ପାଳନ ନ କରିବାକୁ ସମୀଚୀନ ମନେ କରୁଥିବା ଅଧିକାରୀମାନେ ଅନେକ ସମୟରେ ଏହି ମତାମତକୁ ଅତି ଉଲ୍ଲାସର ସହିତ ଦର୍ଶାଇ ଆସିଛନ୍ତି ।
ଅନ୍ୟପକ୍ଷରେ, ଅଧିକାଂଶ ସୂଚନା କମିଶନ, ଯେଉଁମାନଙ୍କୁ କି ଏ କ୍ଷେତ୍ରରେ ଆବେଦନ କରିବାର ସର୍ବୋଚ୍ଚ ସଂସ୍ଥା ରୂପେ କାର୍ଯ୍ୟ କରିବାକୁ ଗଠନ କରାଯାଇଛି, ସନ୍ତୋଷଜନକ ଭାବେ କାମ କରୁନାହାନ୍ତି । ବିଭିନ୍ନ କମିଶନରେ ଦାଖଲ ହେଉଥିବା ଦ୍ବିତୀୟ ପର୍ଯ୍ୟାୟ ଆବେଦନଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହୁଛି ଏବଂ ସାଧାରଣତଃ, ଦୋଷୀ ସରକାରୀ ଚାକିରିଆମାନଙ୍କ କ୍ଷେତ୍ରରେ ଏହି ଆଇନରେ ଥିବା ଦଣ୍ଡବିଧାନ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଅନିଚ୍ଛା ପ୍ରକାଶ କରିଆସୁଛନ୍ତି । ସରକାର ଓ ସାର୍ବଜନୀନ ସୂଚନା ଅଧିକାରୀମାନେ ଧରିନେଲେଣି ଯେ ଆଇନର ବ୍ୟବସ୍ଥା ଅନୁସାରେ ସେମାନେ କୌଣସି ଗୁରୁତର ପରିଣାମ ଭୋଗିବେ ନାହିଁ । ଅତି ବେଶୀରେ, କମିଶନ ସୂଚନା ପ୍ରକାଶନ ପାଇଁ ହିଁ ଆଦେଶ ଦେଇପାରନ୍ତି ।
ଯଦିଓ ଏହି ଆଇନର ପରିସରରେ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର ସୁଯୋଗ ନାହିଁ, ତଥାପି ରିଟ୍ ପିଟିସନ୍ ବୋଲି ଦର୍ଶାଇ ସେମାନଙ୍କ ନିଷ୍ପତ୍ତି ବିରୋଧରେ ବିଭିନ୍ନ ଅଦାଲତରେ ପ୍ରାୟତଃ ଆବେଦନ କରାଯାଉଛି । ସୁତରାଂ, କେତେକ ଗୁରୁତ୍ବପୂର୍ଣ୍ଣ ଏବଂ ସାଂପ୍ରତିକ ପ୍ରସଙ୍ଗରେ ନାଗରିକମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି । ଏହାର ଏକ ସ୍ପଷ୍ଟ ଉଦାହରଣ ହେଉଛି, ପ୍ରଧାନ ମନ୍ତ୍ରୀ ଓ ତିନି ଜଣ ମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିଥିବାରୁ ସୂଚନା ଅଧିକାର ଆଇନ ଅନୁସାରେ ଏକ ସରକାରୀ ସଂସ୍ଥା ରୂପେ ପରିଗଣିତ ହେଉଥିଲେ ହେଁ ପିଏମ୍ କେୟାର୍ସ ପାଣ୍ଠି, ଏହାର କାର୍ଯ୍ୟକାରିତା ସଂପର୍କିତ ତଥ୍ୟ ଦେବାକୁ ମନା କରିଦେଇଛି । ବିଭିନ୍ନ ସାମଗ୍ରୀ କିଣା ଏବଂ କୋଭିଡ୍ ସଂପର୍କିତ ଅନ୍ୟ ବିଷୟ ସଂପର୍କରେ ସୂଚନା ପ୍ରଦାନ କରାଯାଉନାହିଁ ଏବଂ କେତେକ କ୍ଷେତ୍ରରେ ବିଧାୟକ ପାଣ୍ଠିରୁ ସାମଗ୍ରୀ କ୍ରୟ ସଂପର୍କିତ ସୂଚନାର ପଥରୋଧ କରାଯାଇଛି ।
କେନ୍ଦ୍ର ସୂଚନା କମିଶନଙ୍କ ଦ୍ବାରା ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସର୍ବସାଧାରଣ ସଂସ୍ଥା ରୂପେ ଘୋଷିତ ହୋଇଛନ୍ତି । ସେମାନେ ଏହି ନିଷ୍ପତ୍ତିକୁ କୌଣସି ଅଦାଲତରେ ବିରୋଧ କରିନାହାନ୍ତି ସତ, କିନ୍ତୁ ଏକ ବେଆଇନ ଏବଂ ଅହଂକାରପୂର୍ଣ୍ଣ ଭାବ ପ୍ରଦର୍ଶନ କରି ଏହି ବୈଧାନିକ ଆଦେଶ ପାଳନ କରିବାକୁ ମନା କରିଦେଇଛନ୍ତି । ଅନେକ କମିଶନର ଏବଂ ସାର୍ବଜନୀନ ସୂଚନା ଅଧିକାରୀମନେ ଉଦ୍ଭଟ ଏବଂ ଅନୁଚିତ ବ୍ୟାଖ୍ୟା କରିବା ସହିତ ସୂଚନା ଦେବାକୁ ମନା କରିଦେଇ ଆଇନ ଓ ସମ୍ବିଧାନ ପ୍ରତି ଅବମାନନା ପ୍ରଦର୍ଶନ କରିଛନ୍ତି । ହେଲେ, ନାଗରିକମାନେ ବି ଏହି ଆଇନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ସେମାନଙ୍କ ଶକ୍ତି ସଂଗଠନ କରିବାରେ ଲାଗିଛନ୍ତି । ସେମାନେ ଏହି ଆଇନ ଦ୍ବାରା ପ୍ରଦତ୍ତ କ୍ଷମତାକୁ ହୃଦୟଙ୍ଗମ କରିଛନ୍ତି ଏବଂ ବର୍ତ୍ତମାନର କୋଭିଡ୍ ସମୟରେ ମଧ୍ୟ ଅନେକ ଭିନ୍ନ ଭିନ୍ନ ଗୋଷ୍ଠୀ ଅନ୍ଲାଇନ୍ ମଞ୍ଚ ଜରିଆରେ ସୂଚନା ଅଧିକାର ଆଇନର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି । ଭର୍ଚୁଆଲ୍ ବା ଅନ୍ଲାଇନରେ ସମସ୍ତ ଆବେଦନର ଶୁଣାଣି ଲାଗି ବମ୍ବେ ହାଇକୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ଦାୟର ହୋଇଛି । ସମସ୍ତ ସୂଚନା କମିଶନରଙ୍କ ପାଖରେ ପଡ଼ି ରହିଥିବା ଆବେଦନଗୁଡ଼ିକୁର ଶୁଣାଣି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଏଥିରେ ଆବେଦନ କରାଯାଇଛି ।
ନାଗରିକମାନେ ଖୁବ୍ ଉତ୍ସାହର ସହିତ ବିଭିନ୍ନ ଅନ୍ଲାଇନ ପ୍ଲାଟ୍ଫର୍ମର ଉପଯୋଗ କରୁଛନ୍ତି ଏବଂ ସାରା ଦେଶକୁ ଏହା ସହିତ ସଂଯୋଗ କରିବା ଲାଗି ପ୍ରୟାସ କରାଯାଉଛି । ଏହା ଫଳରେ ହୁଏତ କେତେକ ସାଧାରଣ ପ୍ରସଙ୍ଗ ଏକତ୍ର ପ୍ରକାଶିତ ହେବା ସହିତ ନାଗରିକମାନଙ୍କର ମୌଳିକ ଅଧିକାର ସୁଦୃଢ଼ ହେବ । ସୂଚନା ଅଧିକାର ଆଇନର ସଂକୁଚିତ ପ୍ରୟୋଗ ଦ୍ବାରା ଅଭିବ୍ୟକ୍ତି ସ୍ବାଧୀନତା ଏବଂ ପ୍ରକାଶନର ସ୍ବାଧୀନତା ସମ୍ବଳିତ ସମ୍ବିଧାନର 19 (1) (କ) ଧାରା ପ୍ରତିବନ୍ଧିତ ହେବ ବୋଲି ସେମାନେ ଯୁକ୍ତି ଦର୍ଶାଇ ଆସୁଛନ୍ତି । ଗତ ସପ୍ତାହରେ ଭାରତର ମୁଖ୍ୟ ବିଚାରପତି ଏସ୍.ଏ. ବୋବଡ଼େ ଅଦାଲତରେ କହିଥିଲେ, “ନିଶ୍ଚିତ ରୂପରେ ଆମେ ଆପଣଙ୍କୁ କହି ରଖିବୁ ଯେ, ସାଂପ୍ରତିକ ସମୟରେ ସବୁଠାରୁ ଅଧିକ ଦୁରୁପଯୋଗ କରାଯାଇଥିବା ଅଧିକାର ହେଉଛି ସ୍ବାଧୀନ ଅଭିବ୍ୟକ୍ତିର ଅଧିକାର ।” ଏହିଠାରୁ ହିଁ ସୂଚନା ଅଧିକାରର ପ୍ରଗତି କିମ୍ବା ଦୁର୍ଗତି ଆରମ୍ଭ ହୋଇପାରେ ।
ଶୈଳେଶ ଗାନ୍ଧି, ପୂର୍ବତନ କେନ୍ଦ୍ର ସୂଚନା କମିଶନର