ହାଇଦ୍ରାବାଦ: ଦେଶରେ ଚାଷୀ ଆତ୍ମହତ୍ୟା ଏକ ରାଷ୍ଟ୍ରୀୟ ସମସ୍ୟା ଭାବରେ ମୁଣ୍ଡ ଟେକିଲାଣି । ଦିନକୁ ଦିନ ଜଣକ ପରେ ଜଣେ ଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି । ଚାଷୀ ଆତ୍ମହତ୍ୟାର ପ୍ରମୁଖ କାରଣ ବଢିବାରେ ଲାଗିଛି । ଏହାସହ ଦେଶରେ ଚାଷୀ ମଡକ ଥମିବାର ନା ମଧ୍ୟ ନେଉନାହିଁ । କାରଣ ଅନେକ ହେଲେ ନିରାକରଣ ନେଇ ବିଗତ 25 ବର୍ଷ ହେବ ଲଗାତାର ଭାବରେ କେନ୍ଦ୍ରରେ ଶାସନ କରିଆସୁଥିବା ସରକାର କୃଷକଙ୍କ ସମସ୍ୟା ସମାଧାନ କରିବା ପାଇଁ ଅସଫଳ ରହିଛନ୍ତି ।
ଦେଶରେ କେଉଁଠି ଚାଷୀଋଣ ସୁଝି ନପାରିବାରୁ ଆତ୍ମହତ୍ୟା କରୁଛି ଏବଂ କେଉଁଠି ଚାଷୀ ଫସଲ ହାନୀ ଯୋଗୁଁ ଆତ୍ମହତ୍ୟା କରୁଛି । ଅନ୍ୟପଟେ ଚକଡ଼ା ପୋକ, ସ୍ବଳ୍ପ ବୃଷ୍ଟି, ଅଦିନିଆ ବର୍ଷାରେ ଫସଲହାନୀରେ ହତାଶ ହୋଇ ଜୀବନ ହାରୁଛନ୍ତି ଚାଷୀକୂଳ ।
ଦେଶରେ 135କୋଟି ଲୋକଙ୍କୁ ଖାଦ୍ୟ ଯୋଗାଥିବା ଅନ୍ନଦାତା ଆଜିର ଦିନରେ ଆତ୍ମହତ୍ୟା ପାଇଁ ବାଧ୍ୟ ହେବାର ବିକଳ୍ପ ବାଛି ନେଉଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟ ରିପୋର୍ଟ ଅନୁଯାଯୀ ବର୍ଷ 2016ରେ ସାରା ଦେଶରେ 11 ହଜାର 379 ଚାଷୀ ଓ ଜମିରେ ଶ୍ରମିକ ଭାବରେ କାମ କରୁଥିବା ଲୋକ ଆତ୍ମହତ୍ୟା କରିଛନ୍ତି । ଏହି ସଂଖ୍ୟା ଅନୁସାରେ ପ୍ରତିଦିନ 31 ଓ ପ୍ରତି ମାସରେ 948 ଜଣ ଚାଷୀ ମୃତ୍ୟୁର ଫନ୍ଦାରେ ନିଜକୁ ଝୁଲାଇ ଦେଉଛନ୍ତି । ଦେଶରେ ଚାଷୀ ଆତ୍ମହତ୍ୟା, 2014ରେ(12360) ଓ ବର୍ଷ 2015ରେ(12602)ରହିଥିଲା ।
ଦେଶରେ କୃଷକଙ୍କ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ‘ମରଣ ରାଷ୍ଟ୍ର’ ପାଲଟିଛି । ରାଜ୍ୟରେ ବର୍ଷ 2016ରେ ରାଜ୍ୟରେ ମୋଟ 3661 ଚାଷୀ ଆତ୍ମହତ୍ୟା କରିଥିଲେ । ଏହା ପଛକୁ କର୍ଣ୍ଣାଟକରେ 2078, ମଧ୍ୟପ୍ରଦେଶରେ 1321 ଓ ଆନ୍ଧ୍ର ପ୍ରଦେଶରେ 804 ଯଥା କ୍ରମେ ପ୍ରଥମ 4ଗୋଟି ସ୍ଥାନରେ ରହିଛନ୍ତି । ଏହି ରିପୋର୍ଟ ଆଧାରରେ ଦେଶରେ ବିଗତ ବର୍ଷ ତୁଳନାରେ ଚାଷୀ ଆତ୍ମହତ୍ୟାରେ 21 ପ୍ରତିଶତ ହ୍ରାସ ପାଇଛି । ମାତ୍ର କୃଷି କ୍ଷେତରେ କାମ କରୁଥିବା ଶ୍ରମିକ, ଭାଗଚାଷୀଙ୍କ ଆତ୍ମହତ୍ୟା ଗତବର୍ଷ ତୁଳନାରେ 10 ପ୍ରତିଶତ ବୃଦ୍ଧି ଘଟିଛି ।
ଏନସିଆରବି ଜାରି କରିଥିବା ଚାଷୀ ଆତ୍ମହତ୍ୟା ରିପୋର୍ଟରେ ଏହାର କାରଣ ଅବଗତ କରାଇଥିଲା । ମୁଖ୍ୟ କାରଣକୁ ଚିହ୍ନଟ କରି ରିପୋର୍ଟରେ ଫସଲ ହାନୀ, ଲଗାଣ ପୁଞ୍ଜିରେ ବ୍ୟାପକ କ୍ଷତି, ପାରିବାରିକ ସମସ୍ୟା ଭଳି ଅନେକ ଦିଗ ବିଷୟରେ ଉଲ୍ଲେଖ କରାଯାଇଥିଲା । ଏହାସହ ଋଣ ବୋଝକୁ ମଧ୍ୟ ଅନ୍ୟଏକ କାରଣ ଭାବରେ ଦର୍ଶାଯାଇଛି ।
ଏନସିଆରବି ଚାଷୀ ଆତ୍ମହତ୍ୟା ରିପୋର୍ଟ ଏକତ୍ରିତ କରିବା ପୂର୍ବରୁ ଦେଶରେ 3 ଲକ୍ଷ 30ହଜାର 407 ଚାଷୀ ଆତ୍ମହତ୍ୟା କରିସାରିଥିଲେ । 1995 ରୁ ଆରମ୍ଭ କରି 2016 ମଧ୍ୟରେ ଏହି ରିପୋର୍ଟ ରେକର୍ଡ କରାଯାଇଛି । ଆଇଏଏସ ପିସି ବୋଧଙ୍କ ଅନୁମାନ ଏହି ଟ୍ରେଡ୍ ଆଗକୁ ଜାରି ରହିଲେ ବର୍ଷ 2020 ସୁଦ୍ଧା ଦେଶରେ 4 ଲକ୍ଷ କୃଷକ ଆତ୍ମହତ୍ୟା ରାସ୍ତା ଆପଣାଇ ସାରିଥିବେ । ଏହି ସଂଖ୍ୟାକୁ ଦେଖିଲା ପରେ ଏହି ସମସ୍ୟା ଆଗାମୀ ଦିନ ମାନଙ୍କରେ ସମାଧାନ ହୋଇନପାରିବା ଭଳି ପ୍ରତୀୟମାନ ହେଉଛି । ଲଗାତାର ଫସଲ ହାନୀ, ଋଣ ଭାର, ଫସଲକୁ ଉଚିତ ମୂଲ୍ୟ ନମିଳିବା, ମଣ୍ଡିରେ ଅବ୍ୟବସ୍ଥା, ଧାନ ଭଣ୍ଡାରର ଅଭାବ ଚାଷୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଥିବା ସେ କହିଛନ୍ତି ।
ଚଳିତ ବର୍ଷ ଏହି ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି। ଚଳିତ ବର୍ଷ ଚାଷୀ ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା 280 ରିପୋର୍ଟକୁ ଅନେକ ଚାଷୀ ସଂଗଠନ ବିରୋଧ କରିଛନ୍ତି । ଦେଶର 17 ରାଜ୍ୟର ରିପୋର୍ଟ ଏହି ସଂଖ୍ୟା ଠାରୁ ଢେର ଅଧିକ ବୋଲି କୁହାଯାଉଛି । ସରକାର ଦେଶରେ 2022 ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ଏହାକୁ ସଫଳ ରୂପାୟନ ପାଇଁ ସରକାରଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ହେବ ।
କେନ୍ଦ୍ର ସରକାର କୃଷକଙ୍କ ପାଇଁ 6000 ଟଙ୍କାର ସବସିଡି ଦେବା ପାଇଁ ଘୋଷଣା କରିଛନ୍ତି । କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ରସରକାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । କୃଷି ଉତ୍ପାଦର ମାର୍କେଟିଂ, ଜୈବ କୃଷି, ପ୍ରାଇଭେଟ ଇନଭେଷ୍ଟମେଣ୍ଟ ଲାଗୁ ପାଇଁ ନୂତନ ଉପାୟର ସନ୍ଧାନ କରିବା ଏହି କମିଟିର ମୂଳ ଲକ୍ଷ୍ୟ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମୟରେ ଗଠିତ ଏହି ଟାସ୍କଫୋର୍ସ ଗଠନକୁ ଇତି ମଧ୍ୟରେ 4 ମାସ ବିତିଗଲାଣି, ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର ଭବିଷ୍ୟ ଅନ୍ଧକାର ଭିତରେ ରହିଛି ।
ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା ନେଇ ଅନେକ କୃଷକ ସଂଗଠନ ସଂସଦରେ ସ୍ବତନ୍ତ୍ର ଅଧିବେଶନ ଦାବି କରୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଏହି ଦାବି କେବଳ ଦାବି ରହିଛି । ରାଜନୀତି ବଜାରରେ ଦାବି ହଜିଯାଉଛି । ଚାଷୀଙ୍କ ଋଣ ପ୍ରସଙ୍ଗରେ ରିପୋର୍ଟ ଏହି ପରି । ବର୍ଷ 2015ରେ ଚାଷ ପାଇଁ ଚାଷୀ କରିଥିବା ଲୋନର 80 ପ୍ରତିଶତ ବ୍ୟାଙ୍କ ଓ ମାଇକ୍ରୋଫାଇନ୍ସର ଆଧାର ବୋଲି ଜଣାଯାଇଛି ।
ଏହା ବ୍ୟତିରେକ ଦେଶରେ ବନ୍ୟା ଓ ଜଳବାୟୁ ପରିବର୍ତ୍ତନ କେତେକାଶଂରେ ଦାୟୀ । ଏହି କାରଣରୁ ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଥାଏ । ଆଇଆଇଟି ମୁମ୍ବାଇର ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଦେଶରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ପାଣିପାଗ ଅନୁକୂଳ ଚାଷ ଉପରେ ଜୋର ଦେବା ପାଇଁ ମତ ରଖିଛନ୍ତି । ବୈଜ୍ଞାନିକଙ୍କ ମତରେ କେରଳ ବନ୍ୟା ପ୍ରତିରୋଧୀ ଧାନ ଚାଷକୁ ଦେଶରେ ବନ୍ୟା ପ୍ରଭାବିତ ବିଭିନ୍ନ ପ୍ରାନ୍ତରେ ଚାଷ କରାଯିବା ଉଚିତ ।
ଏବେ ଶସ୍ୟ କ୍ଷେତ ସହ ବିଜ୍ଞାନକୁ ମିଶ୍ରଣ କରି ଚାଷୀଙ୍କ ହିତ ସାଧନ ପାଇଁ ବୃହତର ପଦକ୍ଷେପ ନେବା ସମୟ ଆସିଛି । ଏହାସହ ଦେଶରେ ଖାଦ୍ୟ ସୁରକ୍ଷା ପାଇଁ ଚାଷୀକୂଳର ବର୍ତ୍ତମାନ ଭବିଷ୍ୟକୁ ସୁଧାରିବାର ଆବଶ୍ୟକତା ରହିଛି ।