ପାଟନା: ବିହାରସ୍ଥିତ ବିତିୟା ସହରର ଲାଲବଜାରର ଏକ ପରିବାର ପଶ୍ଚିମ ଆଫ୍ରିକାର ଆଇବରୀ କୋଷ୍ଟରେ ଫସି ରହିଛନ୍ତି । ନିଶାନ୍ତ କୁମାର ପୋଦ୍ଦାର ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ସାଉଥଆଫ୍ରିକାକୁ ଚାକିରୀ ପାଇଁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ଏକ ଚୋରି ମାମଲାରେ ଜେଲରେ ଭର୍ତ୍ତି କରାଯାଇଥିବାବେଳେ ନିଶାନ୍ତଙ୍କ ପତ୍ନୀ ସୋନଲ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ଅନୁରୋଧ କରିଛନ୍ତି ।
ସୂଚନାନୁସାରେ, ନିଶାନ୍ତ ଯେଉଁ କମ୍ପାନୀରେ କାମ କରୁଥିଲେ ତାର ଟଙ୍କା ସବୁ ତାଙ୍କ ଘରେ ରଖାଯାଉଥିଲା । ଆଉ ପରେ କମ୍ପାନୀ କର୍ମଚାରୀ ଆସି ଉକ୍ତ ଟଙ୍କାକୁ ନେଇଯାଉଥିଲେ । ହେଲେ ଅଗଷ୍ଟ 4 ତାରିଖ ଦିନ କର୍ମଚାରୀମାନେ ଆସି ଟଙ୍କା ନେଇନଥିଲେ । ଆଉ ଉଭୟ ପତି ପତ୍ନୀ ମାର୍କେଟ ଯାଇଥିବା ସମୟରେ ତାଙ୍କ ଘରେ ଡକାୟତ ପଶି ସବୁ ଟଙ୍କା ଚୋରି କରିନେଇଯାଇଥିଲେ ।
ଏହାପରେ ମାର୍କେଟରୁ ଫେରି ଯେବେ ଉଭୟ ଦମ୍ପତ୍ତି ଘର ଖୋଲି ଦେଖନ୍ତି ସବୁ ଟଙ୍କା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ଘର ମାଲିକକୁ ଏସମସ୍ତ ବିଷୟରେ ଜଣାଇଥିଲେ । ଏହାପରେ ଘର ମାଲିକ ପୋଲିସକୁ ଖବର ଦେଇଥିଲା । ପୋଲିସ ନିଶାନ୍ତଙ୍କୁ ଚୋରି ଅଭିଯୋଗରେ ଗିରଫ କରିନେଇଛି । ଅନ୍ୟପଟେ ଘର ମାଲିକ ସୋନଲଙ୍କୁ ଦେଢକୋଟି ଟଙ୍କା ମାଗୁଛି, ନହେଲେ ଘରୁ ବାହାରିଯିବା ପାଇଁ ଧମକ ଦେଉଛି । ଯାହାକୁ ନେଇ ସୋନଲ ସୋସିଆଲ ମିଡିଆ ଜରିଆରେ ଭାରତକୁ ସାହାଯ୍ୟ ମାଗିଛନ୍ତି ।
ସୋନଲଙ୍କ କହିବାନୁସାରେ, କେହି ତାଙ୍କୁ ସାହାଯ୍ୟ କରୁନାହାଁନ୍ତି । ଆଉ ଜବରଦସ୍ତ ଭୁଲକୁ ସ୍ବୀକାର କରିବା ପାଇଁ ତାଙ୍କ ସ୍ବାମୀଙ୍କୁ ଅନେକ ପ୍ରକାର ମାନସିକ କଷ୍ଟ ଦେଉଛନ୍ତି । ଆଉ ତାଙ୍କୁ ମଧ୍ୟ ପୋଲିସ ଜେଲରେ ବନ୍ଦ ରଖିଥିଲେ । ଏହାସହ ପାସପୋର୍ଟ ଓ ଭିସା ମଧ୍ୟ ପୋଲିସ ନେଇଯାଇଛି । ସୋନଲଙ୍କର ଏକ ଦେଢ ବର୍ଷର ଝିଅ ଥିବାବେଳେ ତାକୁ ଖାଇବାକୁ ଦେବା ପାଇଁ ମଧ୍ୟ କିଛି ଟଙ୍କା ନାହିଁ । ଏହି ପରିସ୍ଥିତିରେ ସେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବଗତଃ ସୁଷମା ସ୍ବରାଜଙ୍କୁ ମନେପକାଇଛନ୍ତି । ଯଦି ଆଜି ସୁଷମା ସ୍ବରାଜ ଥାନ୍ତେ ତ ନିଶ୍ଚିତ ଆମକୁ ଏହି ବିପଦରୁ ମୁକାଳିଥାନ୍ତେ ।
ଅନ୍ୟପଟେ ବିହାରସ୍ଥିତ ଲାଲବଜାରରେ ରହୁଥିବା ନିଶାନ୍ତଙ୍କ ପିତାଙ୍କ କହିବାନୁଯାୟୀ, ତାଙ୍କୁ ଏଥିପାଇଁ କେହି ସାହାଯ୍ୟ କରୁନାହାଁନ୍ତି । ସେ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ଗୁହାରି କରିସାରିଛନ୍ତି, ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ମିଳିନାହିଁ ।