କୋରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଜାରି ହୋଇଥିବା ଲକଡାଉନ ଯୋଗୁଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ହାଡଭଙ୍ଗା ପରିଶ୍ରମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଥିଲା । ଜାତିସଂଘର ଏକ ରିପୋର୍ଟ ଅନୁସାରେ ମହାମାରୀର ଅପ୍ରତ୍ୟାଶିତ ଆକ୍ରମଣ ଓ ହଠାତ ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ ୨୭୦ କୋଟି ଲୋକ ଜୀବିକା ହରାଇଥିଲେ । ବଦଳି ଯାଇଥିଲା ସେମାନଙ୍କ ଆର୍ଥିକ ସ୍ଥିତି । ଲଡଡାଉନ୍ର ପରିଣାମ ସ୍ୱରୂପ ଶାରୀରିକ ଶ୍ରମ କରି ଜୀବିକା ନିର୍ବାହ କରୁଥିବା ଏକ ତୃତୀୟାଂଶ ଲୋକ ଗତବର୍ଷ ଫେବ୍ରୁଆରୀରେ ସେମାନଙ୍କ ଜୀବିକା ହରାଇଥିଲେ । ଜୀବିକା ହରାଇଥିବା ଅଧିକାଂଶ ଲୋକ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିଲେ । ୨୦୨୦ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକଙ୍କ ଅବସ୍ଥାରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ୬ଟି ସଂଗଠନର ମିଳିତ ଅଧ୍ୟୟନରୁ ଏହି ବିଷମ ତଥ୍ୟ ମିଳିଛି ।
ଜୀବିକା ଉପରେ ଲକଡାଉନର ପ୍ରଭାବ ସଂପର୍କରେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ, ୟୁପି ଓ ପଶ୍ଚିମବଙ୍ଗରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ତୃଣମୂଳ ସ୍ତରରେ ସ୍ଥିତି ଅତି ଖରାପ । ଲକଡାଉନ ସମୟରେ ଅଧିକାଂଶ ବିପିଏଲ ପରିବାର ଆବଶ୍ୟକୀୟ ଖାଦ୍ୟଶସ୍ୟ ପାଇବାରୁ ବଂଚିତ ହୋଇଥିଲେ । ଫଳରେ ଏହି ସମୁଦାୟର ଲୋକଙ୍କ ମଧ୍ୟରେ ପୋଷଣର ଅଭାବ ଦେଖିବାକୁ ମିଳିଥିଲା । ଲକଡାଉନ ହଟିଲା ପରେ ମଧ୍ୟ ଗ୍ରାମାଂଚଳର ୧୫ ଓ ସହରାଂଚଳର ୨୮ ପ୍ରତିଶତ ବିପିଏଲ ପରିବାରଙ୍କ ସ୍ଥିତିରେ କୌଣସି ଉନ୍ନତି ଆସି ନ ଥିଲା ବୋଲି ସର୍ଭେରୁ ଜଣାପଡିଛି । ଏଭଳି ଶୋଚନୀୟ ସ୍ଥିତି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
କର୍ମଦିବସର ସଂଖ୍ୟା ଉପରେ କୌଣସି କଟକଣା ନ ଲଗାଇ ନିଶ୍ଚିତ ରୋଜଗାର ସୃଷ୍ଟି କରିବା ପାଇଁ ଅନେକ ଦିନରୁ ଦାବି ହୋଇଆସୁଛି । ଆମଦେଶରେ ଅସଂଖ୍ୟ ଲୋକ କ୍ଷୁଧାର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ମନରେଗା ଓ ସହରାଂଚଳ ନିଶ୍ଚିତ ରୋଜଗାର ଯୋଜନାଗୁଡିକ ପାଇଁ କେନ୍ଦ୍ର ବଜେଟରେ ଅଧିକ ଅର୍ଥ ଆବଂଟନ କରିବା ପାଇଁ ଯଥାର୍ଥ ଦାବି ହେଉଛି । ପ୍ରାୟ ୬ ମାସ ପୂର୍ବେ ଏକ ଚାଂଚଲ୍ୟକର ବିଶ୍ଳେଷଣରୁ ଜଣା ପଡିଥିଲା ଯେ, ଲକଡାଉନ ଯୋଗୁଁ ସହରାଂଚଳର୧୨ କୋଟି ଓ ଗ୍ରାମାଂଚଳର ୨୮ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି । ଲକଡାଉନ ହଟିଲା ପରେ ମଧ୍ୟ କୋଭିଡ ମହାମାରୀର କୁପ୍ରଭାବ ଦେଖିବାକୁ ମିଳୁଛି । ଲକଡାଉନ ଜାରି ହେଲା ପରେ ନିଜ ନିଜ ଗାଁକୁ ଫେରିଥିବା କୋଟି କୋଟି ଦେଶାନ୍ତରୀ ଶ୍ରମିକଙ୍କ ପାଇଁ ଗ୍ରାମାଂଚଳ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସେମାନଙ୍କ ପାଇଁ ବେଶ ସହାୟକ ହୋଇଛି । ଏହି ଯୋଜନା ଦ୍ୱାରା ଅଗଣିତ ଶିକ୍ଷିତ ଲୋକଙ୍କୁ ବି ଆଶ୍ୱସ୍ତି ଦେଇଥିଲା । ଏହି ଯୋଜନାରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବାରୁ ଏହା ବେଶ ଲୋକପ୍ରିୟ ହୋଇଥିଲା । ଏଥିପାଇଁ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଆଂବଟିତ କରାଯାଇଥିଲା । ଗତ ବଜେଟରେ ଏହି ଯୋଜନା ପାଇଁ ଗତ ବଜେଟରେ ୬୧ ହଜାର କୋଟି ଟଙ୍କା ଆଂବଟିତ ହୋଇଥିଲା ।
ଏହି ଯୋଜନା ପାଇଁ ଅତିରିକ୍ତ ଅର୍ଥ ଆଂବଟିତ ହୋଇଥିଲେ ମଧ୍ୟ ଗ୍ରାମ ପଂଚାୟତଗୁଡିକରେ ପାଣ୍ଠିର ଅଭାବ ରହିଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହି ପୃଷ୍ଠଭୂମି ପରିପ୍ରେକ୍ଷୀରେ ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ଆଉ ଏକ ଅତିରିକ୍ତ ୧ ଲକ୍ଷ କୋଟ ଟଙ୍କା ଯୋଜନା ପାଇଁ ଆବଂଟନ କରିବାକୁ ପ୍ରସ୍ତାବ ଦିଆଯିବା ସହ ୨୦୦ ଦିନ ପାଇଁ ନିଯୁକ୍ତି ଦିବସ ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି ।
ଅନ୍ୟପକ୍ଷରେ ଲକଡାଉନ ହଟିଲା ପରେ ଶିଥିଳ ହୋଇପଡିଥିବା ଦେଶର ଅର୍ଥନୀତି ଧୀରେ ଧୀରେ ଟ୍ରାକକୁ ଫେରୁଥିବାରୁ ଦେଶାନ୍ତରୀ ଶ୍ରମିକମାନେ ପୁଣି ସହର ଅଭିମୁଖେ ବାହାରିଲେଣି । ସରକାରୀ ତଥ୍ୟ କହୁଛି ଯେ, ୭୫ ପ୍ରତିଶତ ଶ୍ରମିକ ନିର୍ମାଣ କ୍ଷେତ୍ର, ୮୬ ପ୍ରତିଶତ ଖାଦ୍ୟ ସେବା କ୍ଷେତ୍ର ଓ ୫୩ ପ୍ରତିଶତ ଲୋକ ରିୟଲ ଇଷ୍ଟେଟରେ କାମ କରନ୍ତି । ଏମାନେ ସବୁ ଅଣସଂଗଠିତ କ୍ଷେତ୍ରର ଶ୍ରମିକ । ଏହି ଶ୍ରମିକମାନଙ୍କ ରୋଜଗାର ମାଧ୍ୟମକୁ ସତର୍କତାର ସହ ସୁରକ୍ଷା ଦେବା ସହ ସହରାଂଚଳରେ ନିଶ୍ଚିତ ନିଯୁକ୍ତି ସୃଷ୍ଟି ଯୋଜନାକୁ ସରକାର ଫାଷ୍ଟ ଟ୍ରାକ୍ କରିବା ଜରୁରୀ । ଏହା ହେଲେ ଦେଶରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସାମାଜିକ-ଅର୍ଥନୈତିକ ସଂକଟ ଦୂର ହୋଇପାରିବ । କୋଟି କୋଟି ଲୋକଙ୍କ ମଧ୍ୟରେ ଏହା ନୂଆ ଆଶା ସଂଚାର କରିବ । ତେଣୁ କର୍ମନିଯୁକ୍ତି ସୃଷ୍ଟି ଯୋଜନାଗୁଡିକୁ ପ୍ରଭାବୀ ଓ ତ୍ରୁଟିଶୂନ୍ୟ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ ସେଗୁଡିକର ତଦାରଖ ବି କରିବା ଜରୁରୀ ।