ଭାରତରେ ନିର୍ବାଚନ ଗଣତାନ୍ତ୍ରିକ କୁମ୍ଭମେଳା ସଦୃଶ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ନିର୍ବାଚନ ନେଇ ଏହି ମନ୍ତବ୍ୟ ଦେଇଥିଲେ । କୋରୋନା ତାର ନିଷ୍ଠୁର କାୟା ପ୍ରସାର କରି ଚାଲିଥିବା ବେଳେ ଯେ କୌଣସି ପ୍ରକାର ନିର୍ବାଚନ କରାଇବା ନିହାତି ଭାବେ କାଠିକର ପାଠ ।
10 ହଜାର 6 ଶହ ସଂକ୍ରମଣ ମାମଲା ଓ 220 ଜଣଙ୍କ ମୃତ୍ୟୁ ମଧ୍ୟରେ ଗତ ଏପ୍ରିଲରେ ଦକ୍ଷିଣ କୋରିଆରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ କୋରିଆ ନିର୍ବାଚନରୁ ପ୍ରେରଣା ନେଇ ଭାରତର ନିର୍ବାଚନ କମିଶନ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ କରିଛନ୍ତି । କୋରୋନା ଦୃଷ୍ଟିରୁ ଏଥର ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ନୂଆ ଗାଇଡଲାଇନ ଦେଖିବାକୁ ମିଳିବ । ଏଥିମଧ୍ୟରେ ରହିଛି ଭୋଟରଙ୍କ ମଧ୍ୟରେ ଶାରୀରିକ ଦୂରତ୍ବ, ପୋଲିଂ ବୁଥ ସଂଖ୍ୟା ଦୁଇ ଗୁଣ କରିବା, 65 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟର ବ୍ୟବସ୍ଥା ।
ଏଭଳି ଦୃଶ୍ୟପଟ୍ଟରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡିକ ସଦ୍ୟତମ ଟେକନୋଲୋଜିର ସହାୟତା ନେବା ସ୍ବାଗତଯୋଗ୍ୟ ବିଷୟ । କୋରୋନା କାଳରେ ନୂଆ ଅଭ୍ୟାସ ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ବିଶାଳ ଓ ଆଡମ୍ବରପୂର୍ଣ୍ଣ ଜନସଭା କରିବାର ଅଭ୍ୟାସ ଥିବା ରାଜନୈତିକ ଦଳଗୁଡିକ ଏବେ ଡିଜିଟାଲ ଟେକନୋଲୋଜି ସହାୟତାରେ ଭର୍ଚୁଆଲ୍ ମଞ୍ଚର ବ୍ୟବହାର କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ଏଭଳି ଏକ ଶୈଳୀରେ ରାଲି କରିବାକୁ ଯାଉଛନ୍ତି ।
ଏହି ଭର୍ଚୁଆଲ ରାଲି ଦ୍ବାରା ଆସନ୍ତାମାସ ପ୍ରଥମ ସପ୍ତାହରେ ବିହାରର ସମସ୍ତ 243 ନିର୍ବାଚନମଣ୍ଡଳୀର 10 ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିବେ । ଭର୍ଚୁଆଲ୍ ରାଲିର ପ୍ରଥମ ପ୍ରୟୋଗ ବିଜେପି କରିଥିଲା । ମାସକ ପୂର୍ବରୁ ଦଳ 75ଟି ଭର୍ଚୁଆଲ ରାଲି କରିଥିଲା । ତେଣୁ କହିହେବ ଯେ, କୋରୋନା ଯୋଗୁଁ ରାଜନୈତିକ ଦଳଗୁଡିକ ପାଇଁ ଏକ ନୂଆ ଶୈଳୀର ନିର୍ବାଚନ ପ୍ରଚାରର ବାଟ ଖୋଲିଛି ।
ଇଭିଏମର ବ୍ୟବହାର ଭାରତରେ ନିର୍ବାଚନରେ ଉଲ୍ଲେଖନୀୟ ପରିବର୍ତନ ଆଣିଛି । ଇଭିଏମର ବ୍ୟବହାର ସହ ବୁଥ୍ ଦଖଲ ବେଆଇନ୍ କାଯ୍ୟକଳାପ ନିୟନ୍ତ୍ରିତ ହୋଇପାରିଛି । ଏହାଛଡା ବିଭିନ୍ନ ରାଜନୈତିକ ଦଳଗୁଡିକର ଅଭିଯୋଗ ଗ୍ରହଣ ଓ ଏଗୁଡିକର ପରୀକ୍ଷାନିରୀକ୍ଷା ପାଇଁ ସୁଗମ ଓ ସମଧ ପୋର୍ଟାଲ ଆରମ୍ଭ କରିଛନ୍ତି ।
ଭିଡିଓ କନଫରେନସିଂ ଜରିଆରେ ସିଧାସଳଖ ପରିଚାଳନା ଓ ‘ସି ଭିଜିଲ’ ଆପ୍ ଜରିଆରେ ନାଗରିକଙ୍କ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ । ଅତ୍ୟାଧୁନିକ ଟେକନୋଲୋଜି ଆପଣାଇ ନିର୍ବାଚନ ସଦନ ଆଗେଇ ଚାଲିଛି । ବ୍ରିଟେନରେ ସବୁ ରାଜନୈତିକ ଦଳଗୁଡିକର ମୁଖ୍ୟମାନେ 2015 ଓ 2017 ନିର୍ବାଚନରେ ପ୍ରଚାର ପାଇଁ ଟ୍ବିଟର୍ ପ୍ଲାଟଫର୍ମକୁ ପସନ୍ଦ କରିଥିଲେ । ଗତ ଶତାବ୍ଦୀର 60 ଦଶକରୁ ଟେଲିଭିଜନକୁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଆପଣାଇଥିଲା ଆମେରିକା ।
ମାସ୍ ମିଡିଆର ପ୍ରମୁଖ ଭୂମିକା
ଭାରତରେ ନିର୍ବାଚନ ପ୍ରଚାର ଏକ ବ୍ୟୟବହୁଳ ବ୍ୟାପାର । ବିଶାଳ ଜନସଭା ପାଇଁ ଲୋକ ବୁହା ହୁଅନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ରାଜନୈତିକ ଦଳ । ବିରିଆନି ପ୍ୟାକେଟ୍, ମଦ ଓ ପଇସା ଦେଇ ଲୋକଙ୍କୁ ସଭା ପାଇଁ ନେଉଥିଲେ ମଧ୍ୟ ସେମାନେ ଯେ, ସେହି ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ଭାଷଣ ଶୁଣି ଭୋଟ ଦେବେ,ତାହାର କୌଣସି ଗ୍ୟାରେଣ୍ଟି ନାହିଁ ।
ତେଣୁ ଏଭଳି ବ୍ୟୟବହୁଳ ଓ ଜନଜୀବନକୁ ଅସ୍ତବ୍ୟସ୍ତ କରି ଅର୍ଥହୀନ ସଭା କରିବାର ମାନେ କଣ ? ଦେଶରେ ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା 50 କୋଟି ଅତିକ୍ରମ କରିଛି । ତେଣୁ ରାଜନୈତିକ ଦଳଗୁଡିକ ପାରମ୍ପରିକ ବର୍ବର ପ୍ରଚାରକୁ ଛାଡି ଭୋଟରଙ୍କୁ ଡିଜିଟାଲା ମାସ୍ ମିଡିଆରେ ଆକର୍ଷିତ କରିବାର ଶୈଳୀ ଆପଣାଇବାକୁ ହେବ ।