ହାଇଦ୍ରାବାଦ: ଶନିବାର ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କୋଭିଡ୍-19 ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା କରୁଥିବା ଅମ୍ବାଲା ସିଭିଲ୍ ହସ୍ପିଟାଲର ସିଭିଲ ସର୍ଜନ ଡାକ୍ତର କୁଲଦୀପ ସିଂହ କହିଛନ୍ତି ଯେ, ପ୍ରଥମ ଥର ଟିକା ନେବାର 15 ଦିନ ଭିତରେ ମନୁଷ୍ୟ ଶରୀରରେ ଏହାର କାର୍ଯ୍ୟଦକ୍ଷତା ଜାଣିହେବ ନାହିଁ ।
ଡାକ୍ତର ସିଂହ କହିଲେ, “କୌଣସି ଟିକା ପ୍ରଥମ ଥର ଦିଆଯିବାର 15 ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡ଼ି ବା ରୋଗପ୍ରତିରୋଧକାରୀ ତତ୍ତ୍ବ ସୃଷ୍ଟି କରିପାରିବ ନାହିଁ ।” ଭାରତରେ, ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରଥମ ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ହରିଆଣାର ମନ୍ତ୍ରୀ ସ୍ବେଚ୍ଛାରେ ଟିକା ନେବାକୁ ଆଗେଇ ଆସିଥିଲେ ।
ଡାକ୍ତର ସିଂହ କହିଲେ ଯେ ନଭେମ୍ବର 20 ତାରିଖରେ ଭିଜ୍ଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିଲା । ମନୁଷ୍ୟ ଶରୀରର ରକ୍ତପ୍ରବାହରେ ଆଣ୍ଟିବଡି ନିୟୋଜନ କରିବା ପାଇଁ ଅତି କମ୍ରେ ଦୁଇଟି ଡୋଜ୍ ଟିକା ନେବା ଦରକାର ।
ଡାକ୍ତର ସିଂହ ଆହୁରି କହିଛନ୍ତି, “ନଭେମ୍ବର 20ରେ ମନ୍ତ୍ରୀଙ୍କୁ ‘କୋଭାକ୍ସିନ୍’ ଟିକା ଦିଆଯାଇଥିଲା । ଆଜି ଡିସେମ୍ବର 5 ତାରିଖ ଏବଂ ଆଜିକୁ ଟିକା ନେବାର 15 ଦିନ ହେଲା । ଅତି କମ୍ରେ ଦୁଇ ଥର ଟିକା ଦିଆଯିବା ଆବଶ୍ୟକ । 42 ଦିନ ପରେ ହିଁ ମଣିଷ ଶରୀରରେ ଆଣ୍ଟିବଡ଼ି ଉପଯୁକ୍ତ ଭାବେ ନିୟୋଜିତ ହୋଇଥାଏ ବୋଲି ବିଚାର କରାଯାଏ ।”
ଡିସେମ୍ବର 18 ତାରିଖରେ ଅନିଲ ଭିଜ୍ ଦ୍ବିତୀୟ ଥର ପାଇଁ ଟିକା ନେବା କଥା । ତାଙ୍କୁ ଦ୍ବିତୀୟ ଥର ଟିକା ଦିଆଯାଇ ନଥିଲା । ଯାହାକୁ ‘ବୁଷ୍ଟର ଡୋଜ୍’ ବୋଲି କୁହାଯାଏ ।
ଏହା ପୂର୍ବରୁ ଆଜି ଅନିଲ ଭିଜ୍ ଟ୍ବିଟରରେ ଲେଖିଥିଲେ ଯେ, ସେ କୋରୋନାଭାଇରସ୍ ସଂକ୍ରମିତ ହୋଇଥିବା ବିଷୟ ପରୀକ୍ଷାରୁ ଜଣାପଡ଼ିଛି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।
ଟ୍ବିଟରରେ ହରିଆଣାର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ, “ମୁଁ କୋରୋନା ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ମୁଁ ଅମ୍ବାଲା କ୍ୟାଣ୍ଟନମେଣ୍ଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଯେଉଁମାନେ ମୋର ନିକଟ ସଂସ୍ପର୍ଶରେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନେବାକୁ ମୁଁ ପରାମର୍ଶ ଦେଉଛି ।”
ଇତିମଧ୍ୟରେ, ଶନିବାର ଦିନ କୋଭାକ୍ସିନ ପ୍ରସ୍ତୁତ କରୁଥିବା ଔଷଧ କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, “ଦ୍ବିତୀୟ ଥର ଟିକା ନେବାର 14 ଦିନ ପରେ ହିଁ ପ୍ରତିଷେଧକ ଟିକାର କାର୍ଯ୍ୟଦକ୍ଷତା ନିରୂପଣ କରିହେବ” ।
ଅନିଲ ଭିଜ୍ କୋଭିଡ୍-19 ସଂକ୍ରମିତ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ହିଁ ଭାରତ ବାୟୋଟେକ୍ ପକ୍ଷରୁ ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି । ଭାରତ ବାୟୋଟେକ୍ ପକ୍ଷରୁ ଜାରି ଏକ ଆନୁଷ୍ଠାନିକ ବିବୃତିରେ କୁହାଯାଇଛି ଯେ, “28 ଦିନ ଅନ୍ତରାଳରେ ଦୁଇଟି ଡୋଜ୍ ଟିକା ଦିଆଯିବା ଭିତ୍ତିରେ ହିଁ କୋଭାକ୍ସିନ୍ର କ୍ଲିନିକାଲ୍ ପରୀକ୍ଷଣ ପର୍ଯ୍ୟବେସିତ । ଦ୍ବିତୀୟ ଥର ଟିକା ଦିଆଯିବାର 14 ଦିନ ପରେ ହିଁ ଟିକାର କାର୍ଯ୍ୟଦକ୍ଷତା ନିରୂପିତ ହେବ ।”
ଏହି ବିବୃତିରେ ଆହୁରି କୁହାଯାଇଛି ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅବସରରେ ହାଇଦ୍ରାବାଦର ଏହି କମ୍ପାନି ପକ୍ଷରୁ ‘25ଟି ସହରର 26,000 ବ୍ୟକ୍ତିଙ୍କୁ’ ଟିକା ଦିଆଯିବ ।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ କ୍ରମରହିତ ଭାବରେ କରାଯିବ ଏବଂ ପରୀକ୍ଷା କରାଯାଉଥିବା ବ୍ୟକ୍ତିଙ୍କ ସଂପର୍କରେ ସମସ୍ତ ତଥ୍ୟକୁ ଫଳାଫଳ ଜଣା ନପଡ଼ିବା ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଗୁପ୍ତ ରଖାଯିବ । ବିବୃତିରେ କୁହାଯାଇଛି, “ପରୀକ୍ଷଣରେ ପଚାଶ ପ୍ରତିଶତ ବ୍ୟକ୍ତିଙ୍କୁ ଟିକା ଦିଆଯିବା ଏବଂ 50 ପ୍ରତିଶତ ବ୍ୟକ୍ତିଙ୍କୁ ‘ପ୍ଲାସେବୋ’ (ମନସ୍ତାତ୍ତ୍ବିକ ଦୃଷ୍ଟିରୁ ରୋଗୀଙ୍କୁ ଦିଆଯାଉଥିବା ଔଷଧ) ଦିଆଯିବ ।”
ହରିଆଣାର ମନ୍ତ୍ରୀ କୋଭିଡ୍ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ପରିସ୍ଥିତି ସଂପର୍କରେ ସମ୍ଭାବ୍ୟ ଭୁଲ ଧାରଣାକୁ ଏଡ଼ାଇ ଯିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏକ ବିବୃତି ଜାରି କରାଯାଇଛି ।
ଏହି ବିବୃତିରେ କୁହାଯାଇଛି ଯେ, “ଦ୍ବିତୀୟ ଥର ପାଇଁ ଟିକା ନେବାର ନିର୍ଦ୍ଦିଷ୍ଟ ସଂଖ୍ୟକ ଦିନ ପରେ ହିଁ ମଣିଷ ଶରୀରରେ ସଂକ୍ରମଣ ବିରୋଧୀ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହି ପ୍ରତିଷେଧକ ଟିକା ଦୁଇଟି ଡୋଜ୍ ବିଶିଷ୍ଟ । ପ୍ରସଙ୍ଗରେ ଉଲ୍ଲେଖ କରାଯାଇଥିବା ମନ୍ତ୍ରୀ କେବଳ ଗୋଟିଏ ଡୋଜ୍ ନେଇଥିଲେ ।”
ଭାରତ ବାୟୋଟେକ୍ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମିଳିତ ଗଣରାଜ୍ୟ (ୟୁକେ)ରେ ମଧ୍ୟ କୋଭାକ୍ସିନ୍ର କ୍ଲିନିକାଲ୍ ଟ୍ରାଏଲ୍ କରାଯାଉଛି । ଗତ ଦୁଇ ଦଶନ୍ଧି ଭିତରେ 18ଟି ଦେଶରେ 80ଟି କ୍ଲିନିକାଲ୍ ଟ୍ରାଏଲ୍ କମ୍ପାନୀ ପକ୍ଷରୁ ସଫଳତାର ସହିତ ଆୟୋଜିତ ହୋଇଛି ବୋଲି ମଧ୍ୟ ଏଥିରେ କୁହାଯାଇଛି ।
ଭାରତ ବାୟୋଟେକ୍ ପକ୍ଷରୁ ଜାରି ବିବୃତିରେ ଆହୁରି କୁହାଯାଇଛି ଯେ, “ପୃଥିବୀର 80ରୁ ଅଧିକ ଦେଶକୁ ଭାରତ ବାୟୋଟେକ୍ ପକ୍ଷରୁ 4 ଶହ କୋଟିରୁ ଅଧିକ ଡୋଜ୍ ଯୋଗାଇ ଦିଆଯାଇଛି ଏବଂ ସୁରକ୍ଷା କ୍ଷେତ୍ରରେ କମ୍ପାନୀର ଅତି ଉତ୍ତମ ରେକର୍ଡ ରହିଛି । ଭାରତରେ ଚାଲିଥିବା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ପରୀକ୍ଷଣ, କେବଳ ବିବିଧତାରେ ଭରପୁର ଭାରତୀୟ ଲୋକଙ୍କ କ୍ଷେତ୍ରରେ ଏହାର ଉପଯୋଗିତା ନିରୂପଣ ନିମନ୍ତେ ଉଦ୍ଦିଷ୍ଟ ।