ନୂଆଦିଲ୍ଲୀ: 370 ଧାରାକୁ ନେଇ ଲୋକସଭାରେ ଜାରି ରହିଛି ହୋ-ହଲ୍ଲା । ବିଜେପି ଉପରେ ଏନେଇ ଗର୍ଜିଛନ୍ତି 370 ଧାରା ଉଚ୍ଛେଦକୁ ବିରୋଧ କରୁଥିବା ଦଳ । ତେବେ ବର୍ତ୍ତମାନ ଗୃହବନ୍ଦୀ ଥିବା ଶ୍ରୀନଗର ସାଂସଦ ଫାରୁକ ଅବଦୁଲ୍ଲାଙ୍କୁ ନେଇ ବାଚସ୍ପତିଙ୍କୁ ଜବାବ ମାଗିଥିଲେ ଡିଏମକେ ସାଂସଦ ଦୟାନିଧି ମାରାନ୍ ।
ସଂସଦରେ 370 ଧାରା ଉଚ୍ଛେଦ ପ୍ରସଙ୍ଗକୁ ବିରୋଧ କରିବା ସହ ଫାରୁକ ଅବଦୁଲ୍ଲାଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଥିଲେ ମାରାନ୍ । ସେ କହିଥିଲେ ଯେ ଆଜି ସଂସଦର ଜଣେ ସଦସ୍ୟ ଅନୁପସ୍ଥିତ ରହିଛନ୍ତି । ତାଙ୍କୁ ଗିରଫ କରାଯାଇଛି । ଗୃହର ସଦସ୍ୟଙ୍କ ସୁରକ୍ଷା ବାଚସ୍ପତିଙ୍କ ଦାୟିତ୍ୱ । ତେଣୁ ଫାରୁଖ ଅବଦୁଲ୍ଲାଙ୍କ ଗିରଫ ହେବା ନେଇ ବାଚସ୍ପତିଙ୍କ ନୀରବତା ଠିକ ନୁହେଁ । ବାଚସ୍ପତିଙ୍କୁ ନିରପେକ୍ଷ ରହିବା ଦରକାର ।