ପୁରୀ: ନୂଆବର୍ଷକୁ ନେଇ ସବୁଠି ଉତ୍ସାହ ଓ ଉଦ୍ଦୀପନା । ନୂଆବର୍ଷରେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ । ମଧ୍ୟରାତ୍ରିରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭିଡ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼:
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ମଧ୍ୟରାତ୍ରି 12 ଟା 30ରେ ଦ୍ଵାର ଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ହୋଇଥିଲା । ପରେ ଭକ୍ତମାନଙ୍କ ପାଇଁ ନବ ବର୍ଷ ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ଵାର ବାଟେ ଶ୍ରୀ ମନ୍ଦିରକୁ ପ୍ରବେଶ କରିଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ପାଇଁ ଆଜି କେବଳ ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା ହୋଇଛି । ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ନିଜ ପରିବାରର ଓ ସମଗ୍ର ସଂସାରର ମଙ୍ଗଳ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ଭକ୍ତ ।
ଏହା ବି ପଢନ୍ତୁ...ନୂଆବର୍ଷ ୨୦୨୫: ଚନ୍ଦ୍ରଭାଗାରେ ବର୍ଷର ପ୍ରଥମ ଉଦିତ ସୂର୍ଯ୍ୟ ଦର୍ଶନ କଲେ ପର୍ଯ୍ୟଟକ ଏହା ବି ପଢନ୍ତୁ...ନୂଆବର୍ଷ ପୂର୍ବରୁ ଜନସମୁଦ୍ର ଶ୍ରୀମନ୍ଦିର, ପ୍ରବଳ ଭିଡ ଯୋଗୁ ୪ ଆହତ |
ସୁରକ୍ଷା କଡ଼ାକଡ଼ି:
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 60 ପ୍ଲାଟୁନ ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ନୂଆବର୍ଷ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ସମସ୍ତେ କାମନା କରି ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିବାକୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ମୁଖ୍ୟତଃ ନୂଆବର୍ଷ ସମୟରେ ପ୍ରତିବର୍ଷ ଶ୍ରୀମନ୍ଦିରରେ ମାତ୍ରାଧିକ ଭିଡ଼ ପରିଲକ୍ଷିତ ହୋଇଥାଏ । ଦିନକ ତଳେ ଏହି ଭିଡ଼ କାରଣରୁ 4 ଜଣ ଭକ୍ତ ଅସୁସ୍ଥ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଛି ।
ଇଟିଭି ଭାରତ, ପୁରୀ