ନିଆଳି: ନୂଆବର୍ଷରେ ବଡ଼ ଅଘଟଣ । ଚାଳ ଛପର ଘରକୁ ଗ୍ରାସ କରିଦେଲା ନିଆଁ । ଭୟଙ୍କ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ଆବାସ ପତ୍ର । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ୧୨ ପରିବାରର ୧୨ ଘର । ଅଗ୍ନିଶମ ବିଭାଗ ନିଆଁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । କଟକ ଜିଲ୍ଲା ନିଆଳି ଥାନା ମାଧବ ପଞ୍ଚାୟତରେ ଆଜି ସକାଳୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଚାହୁଁଚାହୁଁ ଜଳିଗଲା:
ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ମାଧବ ପଞ୍ଚାୟତ ପ୍ରଧାନ ସାହିରେ ଆଜି ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗାଁ ଲୋକ ଶୋଇଥିବାବେଳେ ଚାଳ ଛପର ଘରେ ନିଆଁ ଲାଗି ବ୍ୟାପିଯାଇଥିଲା । ଏନେଇ ଗ୍ରାମବାସୀ ଅଗ୍ମିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ନିଆଁ ଆୟତ ହୋଇପାରିନଥିଲା । ଗୋଟିଏ ଗୋଟିଏ କରି ୧୨ ପରିବାର ୧୨ ବଖରା ଘର ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ଜନିତ ଘଟିଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ କ'ଣ ତାହା ସ୍ପଷ୍ଟ ହୋଇନାହିଁ ।
୧୨ ପରିବାର ସର୍ବଶ୍ବାନ୍ତ:
ତେବେ ଅଗ୍ନିକାଣ୍ଡ ପ୍ରଭାବରେ ୧୨ ପରିବାର ସର୍ବଶ୍ବାନ୍ତ ହୋଇଯାଇଛି । ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଘରେ ରହିଥିବା ଆସବାପତ୍ର, ସୁନା, ରୂପା, ଟଙ୍କା, ପରିଚୟପତ୍ର ଓ ଜମିବାଡ଼ି କାଗଜ ପତ୍ର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏପରିକି ବିପନ୍ନମାନେ ଖାଇବା ପାଇଁ କିମ୍ବା ପିନ୍ଧିବା ପାଇଁ ବସ୍ତ୍ର ଟିଏ ମଧ୍ୟ ନାହିଁ । ତେବେ ଅଗ୍ନିକାଣ୍ଡରେ କ୍ଷତିଗ୍ରତ ହୋଇଥିବା ଲୋକମାନେ ଦେଉଛନ୍ତି ପ୍ରଧାନ ସାହିର ଚୈତନ୍ୟ ସାହୁ, ଭଗବାନ ସାହୁ, ସୋମନାଥ ସାହୁ, କେଳୁ ସାହୁ, କେଦାର ସାହୁ, କୃଷ୍ଣ ସାହୁ, ଗୁନା ସାହୁ, କେଶି ସାହୁ, ସୋମନାଥ ସାହୁ, ମନୋରଞ୍ଜନ ସାହୁ ଓ ସୌମ୍ୟରଞ୍ଜନ ସାହୁ ।
ଏନେଇ ଅଗ୍ନିକାଣ୍ଡ ବିପନ୍ନ କାନ୍ଦି କାନ୍ଦି କହିଛନ୍ତି, "ସକାଳୁ ଉଠିଲା ବେଳକୁ ନିଆଁ ଜଳୁଛି । ଘରୁ ଆମେ ବାହାରି ଆସିଲୁ । ଘରୁ କୌଣସି ଜିନିଷ ଉଦ୍ଧାର କରିପାରିଲୁ ନାହିଁ । ନିଆଁରେ ସବୁ ଚାଲିଗଲା । ଲୁଗା ପଟା, ସୁନା, ରୂପା ଓ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି । ଆଉ କିଛି ନାହିଁ । କ'ଣ ପିନ୍ଧିବୁ ରହିବୁ କେଉଁଠି ।"
ଏହା ମଧ୍ୟ ପଢ଼ନ୍ତୁ..ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ ଏହା ମଧ୍ୟ ପଢ଼ନ୍ତୁ..ସତ୍ୟନଗରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ |
କ୍ଷତି ଆକଳନ ପାଇଁ ନିର୍ଦ୍ଦେଶ:
ସେପଟେ ଖବର ପାଇ ନିଆଳି ବିଧାୟକ ଛବି ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିଛନ୍ତି । ବିଧାୟକ କହିଛନ୍ତି, "ନୂଆବର୍ଷରେ ଖୁସି ମନାଉଥିବାବେଳେ ମାଧବରେ ବଡ ଅଘଟଣ ଘଟିଛି । ଏଥିପାଇଁ ପଞ୍ଚାୟତବାସୀ ଦୁଃଖିତ, ମୁଁ ମର୍ମାହତ । ଅଗ୍ନିକାଣ୍ଡରେ ଯାହା କ୍ଷୟକ୍ଷତି ହୋଇଛି ଭରଣା ହେବ । ବିପନ୍ନମାନଙ୍କ କ୍ଷତି ଆକଳନ କରିବା ପାଇଁ ନିଆଳି ତହସିଲଦାରଙ୍କୁ କୁହାଯାଇଛି । କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ଜରିପାଲ, ରିଲିଫ, ଘର ଦିଆଯିବ ଏବଂ ଥଇଥାନ କରିଯିବ । ଯେତେଶୀଘ୍ର ହେବ ସେମାନଙ୍କୁ ଘର ଦିଆଯିବ ।" ନିଆଳି ତହସିଲଦାର ଲିଲନ ପ୍ରସାଦ ସାହୁ କହିଛନ୍ତି, "ଅଗ୍ନିକାଣ୍ଡ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ୧୨ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି । ଜରି ପାଲ ସହିତ ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ବିପନ୍ନଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ରନ୍ଧା ଖାଦ୍ୟ ଦିଆଯିବ ଏବଂ ସରକାରୀ ପକ୍କା ଘର ପାଇଁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ।"
ଇଟିଭି ଭାରତ, ନିଆଳି