ଲକ୍ଷ୍ନୌ: ଆଜି ମାଘ ପୂର୍ଣ୍ଣିମା । ମାଘ ମାସର ଅନ୍ତିମ ଦିନରେ କର୍କଟ ରାଶିରେ ଚନ୍ଦ୍ର ଓ ମକର ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ହୋଇଥାଏ । ଏହି ଦିନ ତୀର୍ଥ ସ୍ଥାନ ଗୁଡିକରେ ସ୍ନାନ ଓ ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ହିନ୍ଦୁ ପରମ୍ପରା ଅନୁଯାୟୀ, କୌଣସି ପବିତ୍ର ନଦୀରେ ମାଘ ସ୍ନାନ କରିବା ଦ୍ବାରା ସୁଖଶାନ୍ତି, ସୌଭାଗ୍ୟ, ଧନସମ୍ପତ୍ତି ଆଦି ପ୍ରାପ୍ତି ହୋଇଥାଏ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ । ଏହାପରେ ପିତୃପୁରୁଷଙ୍କ ନିମନ୍ତେ ତର୍ପଣ କରାଯାଇଥାଏ ।
ଏହି ଅବସରରେ ଉତ୍ତରପ୍ରଦେଶ ସ୍ଥିତ ବାରଣାସୀ ଓ ପ୍ରୟାଗରାଜର ଗଙ୍ଗାକୂଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସକାଳୁ ସକାଳୁ ନଦୀରେ ବୁଡ ପକାଇ ପୁଣ୍ୟ ଅର୍ଜନ କରୁଛନ୍ତି ଲୋକେ । ଏହାସହ ଦାନ ଓ ତର୍ପଣ କରୁଥିବା ଦେଖିବାକୁ ଦେଖିବାକୁ ମିଳିଛି । ଜଣେ ତୀର୍ଥ ପୁରୋହିତ ବାସୁଦେବ ତିଓ୍ବାରୀଙ୍କ କହିବାନୂସାରେ, ଏହି ଦିନ ଗଙ୍ଗା ଜଳରେ ବିଷ୍ଣୁଙ୍କର ବାସ ହୋଇଥାଏ । ତେଣୁ ଏହି ଜଳରେ ସ୍ନାନ କରିବା ମାତ୍ରେ ସ୍ବର୍ଗ ପ୍ରାପ୍ତି ହେବାସହ ଅଜସ୍ର ପୂର୍ଣ୍ଣ୍ୟ ମିଳିଥାଏ ।