ନୂଆଦିଲ୍ଲୀ: ବାହାରୁ ଦିଲ୍ଲୀକୁ ଆସୁଥିବା ସମସ୍ତ ଘରୋଇ ଯାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାର ନିୟମ ପରିବର୍ତ୍ତନ କରିଛନ୍ତି । ଏ ବାବଦରେ ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦିଲ୍ଲୀକୁ ଯେକୌଣସି ଯାତ୍ରୀ ଆସିବେ ତାଙ୍କ ଠାରେ କୋରୋନା ଲକ୍ଷଣ ନଥିଲେ ମଧ୍ୟ ସେ ସାତ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟ ।
ଏହାପୂର୍ବରୁ ଦିଲ୍ଲୀ ସରକାର କେବଳ ଏଭଳି ଯାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଯେଉଁମାନେ ଦିଲ୍ଲୀ ଆସିବା ପରେ 14 ଦିନ ପାଇଁ ନିଜକୁ ମନିଟରିଂ କରିବେ ଏବଂ ଯଦି କିଛି ଲକ୍ଷଣ ଦେଖାଯାଏ ତେବେ ସେମାନେ ଜିଲ୍ଲା ସର୍ଭିଲାନ୍ସ ଅଫିସରଙ୍କୁ ଜଣାଇବେ କିମ୍ବା ନ୍ୟାସନାଲ କଲ ସେଣ୍ଟରକୁ ଫୋନ କରି ଜଣାଇବେ।
ଦିଲ୍ଲୀ ସରକାରଙ୍କ ଏହି ଆଦେଶରେ ସମସ୍ତ ଘରୋଇ ଯାତ୍ରୀ ସେ ବିମାନ, ରେଳ କିମ୍ବା ବସରେ ହେଉ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ । ସେହି ଅଞ୍ଚଳର ଜିଲ୍ଲାପାଳ ସୁନିଶ୍ଚିତ କରିବେ ଯେ ଯାତ୍ରୀ 7 ଦିନ ହୋମ କ୍ବାରେଣ୍ଟାଇନରେ ଯେପରି ରହିବେ।
ଏହି ନିୟମର କାର୍ଯ୍ୟକାରିତା ଉପରେ ନଜର ରଖିବାକୁ ଦିଲ୍ଲୀ ସରକାର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଦିଲ୍ଲୀ ତଥା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟନିର୍ବାହୀ କମିଟିର ସଭାପତି ବିଜୟ ଦେବଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ବିମାନବନ୍ଦର, ରେଳ ଏବଂ ପରିବହନ ବିଭାଗ ପ୍ରତ୍ୟେକ ଦିନ ଯାତ୍ରୀଙ୍କ ସୂଚନା ରାଜସ୍ୱ ବିଭାଗର ମୁଖ୍ୟ ସଚିବଙ୍କ ନିକଟରେ ଦାଖଲ କରିବେ ।
ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଦିଲ୍ଲୀରେ ପ୍ରବେଶ କରୁଥିବା ସମସ୍ତ ବିନା ଲକ୍ଷଣ ଯୁକ୍ତ ଯାତ୍ରୀଙ୍କୁ 14 ଦିନିଆ ସ୍ବାସ୍ଥ୍ୟ ମନିଟରିଂ ପରିବର୍ତ୍ତେ 7 ଦିନ ନିଜ ଘରେ ଅଲଗା ରହିବାକୁ ପଡିବ। ରାଜ୍ୟରେ ଲଗାତାର କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡୁଛି ।