ଦିଲ୍ଲୀ: ଆଉ ଶୁଭୁନି ପ୍ରଚାର ଗାଡ଼ିର ଶବ୍ଦ କିମ୍ବା ନେତାଙ୍କ ଭାଷଣବାଜୀ । କାରଣ ସରିଯାଇଛି ନିର୍ବାଚନ ଆଉ ବାହାରି ସାରିଛି ଫଳାଫଳ । ଦେଶର ରାଜଧାନୀ ଦିଲ୍ଲୀକୁ ଝାଡ଼ୁ ମାରି ସଫା କରିଦେଇଛି ଆମ ଆଦମୀ ପାର୍ଟି । ଗତକାଲି ଅର୍ଥାତ ମଙ୍ଗଳବାର ପ୍ରକାଶ ପାଇଥିବା ନିର୍ବାଚନ ଫଳରେ ବିପୁଳ ବିଜୟ ସହ ପୁଣି ଦିଲ୍ଲୀ ଦଖଲ କରିବାରେ ସଫଳ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ ।
ଦେଶର ସର୍ବ ବୃହତ ରାଜନୈତିକ ଦଳକୁ ପାଣି ପିଆଇଛି 6 ବର୍ଷ ତଳେ ସୃଷ୍ଟି ହୋଇଥିବା ଆପ । ସମସ୍ତ 70 ବିଧାନସଭା ଆସନ ମଧ୍ୟରୁ 62ଟିରେ ବାଜିମାତ କରିଛି ଏହି ଦଳ । ବିଜେପିକୁ ମାତ୍ର 8ଟି ସିଟ ମିଳିଥିବାବେଳେ ରାଜଧାନୀକୁ ପାଞ୍ଚ ପାଞ୍ଚ ଥର ଶାସନ କରିଥିବା କଂଗ୍ରେସକୁ ସନ୍ୟାସୀ ସଜାଇଛି ଆପ ।
ପରିସ୍ଥିତି ଏପରି ହୋଇଥିଲା ଯେ, ପ୍ରକାଶ ପାଇଥିବା ଏକଜିଟ ପୋଲକୁ ମଧ୍ୟ ବିଶ୍ବାସକୁ ନେଇ ନଥିଲା ବିଜେପି । କିନ୍ତୁ ବର୍ତ୍ତମାନର ଫଳାଫଳ ସବୁ ସ୍ପଷ୍ଟ କରିସାରିଛି । ନିର୍ବାଚନର ପରାଜୟକୁ ନେଇ ବିଜେପି ସମୀକ୍ଷା କରିବାକୁ ପ୍ରସ୍ତୁତ ରହିଥିବେବଳେ କଂଗ୍ରେସ ରାଜ୍ୟ ସଭାପତି ଦେଇଛନ୍ତି ଇସ୍ତଫା ।