ନୂଆଦିଲ୍ଲୀ: କୋରୋନା ସଙ୍କଟ କାରଣରୁ ଦିଲ୍ଲୀ-ଏନସିଆରର ସୀମା ସିଲ୍ ହୋଇଛି ଓ ଲୋକମାନେ ଚଳପ୍ରଚଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା। ଏହାର ଶୁଣାଣିରେ କୋର୍ଟ ବୁଧବାର ଏନସିଆର ଅଞ୍ଚଳ ପାଇଁ ଏକ ସାଧାରଣ ବା କମନ୍ ପାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନସିଆର ଲୋକଙ୍କ ଦ୍ବାରା ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏନସିଆର ଅଞ୍ଚଳରେ ଯାତାୟତ ପାଇଁ ଏକ ସାଧାରଣ ପୋର୍ଟାଲ କରାଯିବା ଉଚିତ। ଏଥିପାଇଁ ସମସ୍ତ ହିତାଧିକାରୀମାନେ ଏନସିଆର ଅଞ୍ଚଳ ପାଇଁ ଏକ ସାଧାରଣ ପାସ୍ ଜାରି କରିବା ସହ ପ୍ରଦାନ କରାଯିବା ଉଚିତ୍, ଯାହାଫଳରେ ଗୋଟିଏ ପାସରେ ସମଗ୍ର ଏନସିଆରର ଗତିବିଧି ହୋଇପାରିବ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶର ଏନସିଆର ଅଞ୍ଚଳରେ ଟ୍ରାଫିକ ପାଇଁ ଏକ ସମନ୍ବିତ ନୀତି ରହିବା ଉଚିତ। କୋର୍ଟ କହିଛନ୍ତି ଯେ ଏଥିପାଇଁ ସମସ୍ତ ରାଜ୍ୟ ଏକକ ନୀତି ପ୍ରସ୍ତୁତ କରିବା ଉଚିତ୍। ଏହି ନୀତି ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହେବା ଉଚିତ୍ । ଏଥିପାଇଁ 3 ଟି ରାଜ୍ୟର ବୈଠକ ଅନୁଷ୍ଠିତ ହେବା ଉଚିତ୍।
ଶୁଣାଣି ସମୟରେ ହରିୟାଣା କହିଛି ଯେ ଆମେ ସମସ୍ତ ପ୍ରତିବନ୍ଧକ ହଟାଇଛୁ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଏକ ନୀତି, ଏକ ଉପାୟ ଓ ପୋର୍ଟାଲ କରାଯିବା ଉଚିତ୍। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ଏଥିପାଇଁ ସେ କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ନେବେ ଯାହା ଦ୍ବାରା ଏକ ପ୍ରକାର ନୀତି ହୋଇପାରିବ ଓ ଲୋକଙ୍କୁ ସମସ୍ୟା ହେବନି।