ଗାନ୍ଧୀନଗର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁଜୁରାଟ ସୁରଟ ଅଦାଲତରେ ଦାଏର ହୋଇଥିବା ମାନହାନୀ ମାମଲାରେ, ସେ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ଆୟୋଜିତ ହୋଇଥିବା ଦଳୀୟ ରାଲିକୁ ସମ୍ବୋଧିତ କରିବାକୁ ଯାଇ ରାହୁଲ ଗାନ୍ଧୀ ପିଏମ ମୋଦିଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଥିଲେ । ଏନେଇ ସେ କହିଥିଲେ ଯେ ସମସ୍ତ ଚୋରଙ୍କ ଉପନାମ ମୋଦି କାହିଁକି ହୁଏ? ଏଭଳି ବୟାନ ଦେବା ପରେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା ।
ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବାକୁ ନେଇ ଗୁଜୁରାଟ ପ୍ରଦେଶ କଂଗ୍ରେସ ସଭାପତି ଅମିତ ଚାବଡା କହିଛନ୍ତି, ‘ରାହୁଲ ଗାନ୍ଧୀ ଆଜି କୋର୍ଟରେ ଉପସ୍ଥିତ ହୋଇଛନ୍ତି । ଏ ମାମଲାରେ ମାଜିଷ୍ଟ୍ରେଟ ବିଏଚ କପାଡିଆ ଗତ ମେ ରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ସମନ ଜାରି କରିଥିଲେ । ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 10ରେ ହେବାର ଅଛି । ସେତେବେଳେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ହାଜର ହେବା ଦରକାର ନାହିଁ ବୋଲି କୋର୍ଟ ଜଣାଇଛନ୍ତି ।