ମୁମ୍ବାଇ: ଡାମନ ଠାରୁ ପ୍ରାୟ 27 କିମି ଦୂର ସମୁଦ୍ରରେ ଏକ ସନ୍ଦିଗ୍ଧ ଡଙ୍ଗା ମିଳିବା ପରେ ସ୍ଥାନୀୟ ଅଞ୍ଚଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯେତେବେଳେ ଏହି ଡଙ୍ଗାକୁ ଯାଞ୍ଚ କରାଗଲା, ସେତେବେଳେ ଇରାନ ସହ ଜଡିତ କିଛି କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷ ମିଳିଥିଲା । ଏଥିସହିତ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଡଙ୍ଗାଟି ଇରାନରୁ ଆସିଛି ।
ଡାମନରେ ମିଳିଥିବା ଡଙ୍ଗାକୁ ନେଇ ପ୍ରଥମେ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ କୋଷ୍ଟଗାର୍ଡ ଡଙ୍ଗାର ଅନୁସନ୍ଧାନ କରିବା ପରେ ସେଥିରେ କୌଣସି ସନ୍ଦେହଜନକ ତଥ୍ୟ ମିଳିନଥିଲା । ଡଙ୍ଗାଟି ଇରାନରୁ ଆସିଛି ଏବଂ ଏହି ଡଙ୍ଗାରେ ଇରାନ ସମ୍ବନ୍ଧୀୟ କିଛି କାଗଜପତ୍ର ଥିବାରୁ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଥିଲେ । ଯେହେତୁ ଡଙ୍ଗାରୁ ଅନ୍ୟ କୌଣସି ତଥ୍ୟ ନଥିଲା, ତେଣୁ ଡଙ୍ଗାକୁ ଅନ୍ୟକୌଣସି ବିଷୟ ସହ ଲିଙ୍କ କରାଗଲା ନାହିଁ । ବର୍ତ୍ତମାନ ଏହି ଡଙ୍ଗାକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଥାଉକି ଏହି ଡଙ୍ଗାଟି ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ମୁମ୍ବାଇର ତାଜ ହୋଟେଲକୁ ବୋମା ବିସ୍ଫୋରଣ କରାଯିବା ନେଇ ଧମକ ଦିଆଯାଇଥିଲା । ଏକ ଫୋନ୍ କଲରେ ଏହି ଧମକ ଦିଆଯାଇଥିବା ବେଳେ ହୋଟେଲ ତାଜ ବ୍ୟତୀତ ମୁମ୍ବାଇର ହୋଟେଲ କୋଲାବା ଏବଂ ତାଜ ଲ୍ୟାଣ୍ଡସ ଏଣ୍ଡକୁ ମଧ୍ୟ ଏହି ଧମକପୂର୍ଣ୍ଣ କଲ ଆସିଛି । ସୂଚନା ଅନୁଯାୟୀ, ଏହି କଲ୍ ପାକିସ୍ତାନରୁ କରାଯାଇଥିଲା । ତେବେ ଏହି ଧମକ ପରେ ମୁମ୍ବାଇରେ ସୁରକ୍ଷା ବୃଦ୍ଧି କରାଯାଇଛି ।
ମୁମ୍ବାଇରେ ହୋଟେଲ ତାଜକୁ ବିସ୍ଫୋରଣ କରିବାର ଧମକ ଦେବା ପରେ ସୁରକ୍ଷା ଏଜେନ୍ସି ସତର୍କ ରହିଛନ୍ତି । ହୋଟେଲ ତାଜ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ କୋଷ୍ଟଗାର୍ଡ ହେଲିକପ୍ଟରଟି ପାଟ୍ରୋଲିଂ ପାଇଁ ବୁଲୁଥିବା ବେଳେ ଡାମନରେ ଥିବା ଏହି ଡଙ୍ଗା ଉପରେ ନଜର ପଡିଥିଲା । ଯାହା ପରେ ଡଙ୍ଗାକୁ ଯାଞ୍ଚ କରାଯାଇଥିଲା ।