ଥିରୁଅନନ୍ତପୁରମ: ସୀମା ଶୁଳ୍କ ବିଭାଗକୁ ବଡ ସଫଳତା । କେରଳ ରାଇଦରୁ 123 କେଜିର ସୁନା ଜବତ କରାଯାଇଛି । ଗୁରୁବାର ତ୍ରିସୁର ଜିଲ୍ଲାର ପୃଥକ ପୃଥକ 23 ଟି ସ୍ଥାନରେ ଚଢାଉ କରି କଷ୍ଟମ ବିଭାଗ 123 କେଜି, ପ୍ରାୟ 50 କୋଟିର ସୁନା ଜବତ କରିଛି । ଏହାସହ 9 ହଜାର ଆମେରୀୟ ଡଲାର (2 କୋଟି ଭାରତୀୟ ମୁଦ୍ରାରେ) ଜବତ କରାଯାଇଛି । 13 ଗୋଟି ଟିମ ଦ୍ବାରା ଏହି ଚଢାଉରେ ମୋଟ 17 ଜଣଙ୍କୁ ଗିରଫ କରାଯାଇଛି ।
ରାଜ୍ୟରେ ସୁନା ଚାଲାଣକାରୀଙ୍କ ପାର୍ଦୁଭାବ ବଢିବା ସମୟରେ କଷ୍ଟମ ବିଭାଗର ଏହି ସଫଳତା ଏକ ବୃହତ ସଫଳତା ବୋଲି କୁହାଯାଉଛି । ଚୋରାଚାଲାଣକାରୀଙ୍କ ଗତିବିଧି ଉପରେ ନଜର ରଖି କଷ୍ଟମ ବିଭାଗ ଏହି ଚଢାଉ କରିଥିଲା । ଚୋରାଚାଲାଣକାରୀ ମାନେ ତାମିଲନାଡୁର ସଡକ ମାର୍ଗରେ ବିଭିନ୍ନ ସହରର ସୁନା କେରଳକୁ ଆଣୁଥିଲେ । ତ୍ରିସୁରକୁ ଆକାଶ ଓ ଜଳମାର୍ଗରେ ଯାତାୟତ ନଥିବା କାରଣକୁ ସଡକ ମାର୍ଗରେ ଚାଲିଥିଲା ଏହି କାରବାର ।
ସୁନା ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ ଅନେକ ପ୍ରମାଣ କଷ୍ଟମ ବିଭାଗ ହାତରେ ଲାଗିଛି । ଏହାସହ ଅଧିକ ସୂଚନା ଏକତ୍ରିତ ପାଇଁ ବିଭାଗ 100ରୁ ଉର୍ଦ୍ଧ୍ବ ଲୋକଙ୍କୁ ପଚରାଉଚରା କରିବ ବୋଲି ସୂଚନା ଦେଇଛି । ଏହି ପ୍ରକ୍ରିୟା ପାଇଁ ଅତିକମରେ 5 ଦିନ ସମୟ ଲାଗିବ ବୋଲି ବିଭାଗ କହିଛି ।