ନୂଆଦିଲ୍ଲୀ: ଆହତ ସିଆରପିଏଫ ଯବାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷରେ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା ‘ରକ୍ଷିତା ’ । ବିଭିନ୍ନ ରାଜ୍ୟର ଉପାନ୍ତ ଅଞ୍ଚଳ, ବିଭିନ୍ନ ଦୂର୍ଗମ ଅଞ୍ଚଳ, ମାଓ ଅଧ୍ୟୁଷିତ ଅଞ୍ଚଳ ଓ ଉତ୍ତରପୂର୍ବ ଭାରତୀୟ ରାଜ୍ୟ ମାନଙ୍କରେ ଏହି ସେବା ଆରମ୍ଭ କରାଯିବ । ଏହି ମୋବାଇଲ ଆମ୍ବୁଲାନ୍ସ ସେବାର ନାଁ ରଖାଯାଇଛି ‘ରକ୍ଷିତା’। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (DRDO) ର ଆଣବିକ ମେଡିସିନ୍ ଏବଂ ଆଲିଏଡ୍ ସାଇନ୍ସ (INMAS) ଦ୍ବାରା ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF)ର ସହଯୋଗରେ ଏହି ବାଇକ୍ ଆମ୍ବୁଲାନ୍ସ ବିକଶିତ ହୋଇଛି |
ଏହି ଅଭିଯାନରେ ବ୍ୟବହାର ହେବାକୁ ଥିବା ବାଇକ ଆମ୍ବୁଲାନ୍ସରେ ରୟାଲ ଏନଫିଲ୍ଡ କ୍ଲାସିକ-350 ବାଇକ ବ୍ୟବହାର କରାଯିବ। ଏହି ବାଇକକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏହାର ସିଟକୁ ଜରୁରୀ କାଳୀନ ସମୟରେ ଆହତଙ୍କୁ ସ୍ଥାନାନ୍ତରିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହିତ ବିଭିନ୍ନ ଡାକ୍ତରୀ ଉପକରଣ ମଧ୍ୟ ସେଥିରେ ବ୍ୟବସ୍ଥିତ କରାଯାଇଥିବା ଦେଖିବାକୁ ମିଳିଛି । ହ୍ୟାଣ୍ଡ ଇମୋବିଲାଇଜର ଏବଂ ହର୍ଣ୍ଣ ଜ୍ୟାକେଟ୍, ମନିଟରିଂ କ୍ଷମତା ସହିତ ଡ୍ରାଇଭର ପାଇଁ ଅଟୋମୋଲୋଜିକାଲ୍ ପାରାମିଟର ମ୍ୟାପ ଉପକରଣ ଇତ୍ୟାଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଗୁରୁତ୍ବପୂର୍ଣ୍ଣ ପାରାମିଟର, ଏୟାର ସ୍ପ୍ଲିଣ୍ଟ ମେଡିକାଲ ଏବଂ ଅମ୍ଳଜାନ କିଟ୍, ଗତିଶୀଳ ଭାବେ ସାଲାଇନ୍ ଏବଂ ଅମ୍ଳଜାନ ଗ୍ରହଣ କରି ପାରିବାର ସୁବିଧା ମଧ୍ୟ ଏଥିରେ ଉପଲବ୍ଧ ରଖିଛି ଡିଆରଡିଓ ।
ସେହିପରି ଯେ କୌଣସି ରାସ୍ତାରେ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇ ପାରିବା ଭଳି କ୍ଷମତାରେ ଏହାକୁ ବିକଶିତ କରାଯାଇଥିବା କହିଛି ଡିଆରଡିଓ । ଏହି ବାଇକ୍ ଆମ୍ବୁଲାନ୍ସ ଗୁଡିକ ସିଆରପିଏଫ ମୁଖ୍ୟାଳୟରେ ଡିଜି ଏ.ପି ମହେଶ୍ବରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ