ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପୁଣେ ସ୍ଥିତ ସାଶୁନ ଜେନେରାଲ ହସ୍ପିଟାଲରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ମାନବ ପରୀକ୍ଷଣ ଆରମ୍ଭ କରିବ ବୋଲି ଜଣାପଡିଛି । ତେବେ ସୋମବାରରୁ ଏହା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । କିଛି ସ୍ବେଚ୍ଛାସେବୀ ପରୀକ୍ଷା ପାଇଁ ଆଗକୁ ଆସିଛନ୍ତି। ପ୍ରାୟ 150 ରୁ 200 ସ୍ବେଚ୍ଛାସେବୀଙ୍କ ଦେହରେ ଏହି ଟିକା ପରୀକ୍ଷଣ କରାଯିବ ବୋଲି ସେସନ୍ ଜେନେରାଲ୍ ହସ୍ପିଟାଲର ଡିନ୍ ଡ. ମୁରଲିଧର ତାମ୍ବେ କହିଛନ୍ତି।
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହାୟତାରେ ଆଷ୍ଟ୍ରା ଜେନିକା ଦ୍ବାରା ଏହି କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି ଏବଂ ଭାରତରେ ଏହାର ପ୍ରସ୍ତୁତି ଓ ପରୀକ୍ଷଣ କରୁଛି ସେରମ ଇନଷ୍ଟିଚ୍ୟୁଟ। ଅଗଷ୍ଟ 25 ରେ, SII ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେଲା । ସେପ୍ଟେମ୍ବର 8 ରେ ବ୍ରିଟେନର ଜଣେ ସ୍ବେଚ୍ଛାସେବୀଙ୍କ ଦେହରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ଫଳରେ ଏହାର ପରୀକ୍ଷଣକୁ ସେଠାରେ ଆଷ୍ଟ୍ରା ଜେନିକା ସ୍ଥଗିତ ରଖିଥିଲା । ଅନ୍ୟପଟେ ଏନେଇ ସେରମ ଇନଷ୍ଟିଚ୍ୟୁଟକୁ ଡିଜିସିଆଇ ନୋଟିସ ଜାରି କରିଥିଲେ । ଫଳରେ ଏହାର ପରୀକ୍ଷଣ ଭାରତରେ ମଧ୍ୟ ସ୍ଥଗିତ ରହିଥିଲା ।
ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ୧୫ ତାରିଖରେ ଡିସିଜିଆଇ ଏହି ପରୀକ୍ଷଣ ଜାରି ରଖଥିବାକୁ ଅନୁମତି ଦେଇଥିଲେ । ତେବେ ଶନିବାରଠାରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବାକୁ ଥିବା ପୁଣେ ଡାକ୍ତରଖାନାରେ, ସ୍ବେଚ୍ଛାସେବୀଙ୍କ ନାମାଙ୍କନ ଆରମ୍ଭ ହେବ । ଏବଂ ଆସନ୍ତା ସୋମବାରରୁ ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବାର ସମ୍ଭାବନା ରହିଛି ।